କନକ ବ୍ୟୁରୋ : ଖବର ବାଜିବା ପରେ ଚେତିଲା ପ୍ରଶାସନ । ଗାଁକୁ ଆସିଲା ବିଜୁଳି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଠେଲକୋଛାପଲ ଗାଁକୁ ଆସିଲା ବିଜୁଳି । ପ୍ରାୟ ୨ ମାସ ତଳେ ଟ୍ରାନ୍ସଫର୍ମର ପୋଡ଼ିଯାଇଥିଲା । ସେବେଠାରୁ ଗାଁକୁ ବିଜୁଳି ସେବା ବନ୍ଦ ହୋଇଯାଇଥିଲା । ରାତି ହେଲେ ଅନ୍ଧାରରେ ବୁଡ଼ିଯାଉଥିଲା ପୁରା ଗାଁ । ପିଲାଏ ବିଦ୍ୟୁତ ଆଲୋକ ବଦଳରେ ମାଟିଦୀପ ଆଲୋକରେ ପାଠ ପଢ଼ୁଥିଲେ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗାଁରେ ଟାଟା ପାୱାରର ଅଧିକାରୀ ଓ କର୍ମଚାରୀ ପହଂଚିଥିଲେ । ଏହାସହ ଟ୍ରାନ୍ସଫରମରକୁ ପରିବର୍ତନ କରି ନୂଆ ମେସିନ ଲଗାଯାଇଛି । ଏହାପରେ ଗାଁକୁ ପୁଣି ବିଜୁଳି ଆସିଛି, ଆଉ ଗାଁଲୋକଙ୍କ ଭିତରେ ଖୁସି ଭରିଛି । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଠେଲକୋଛାପଲରେ ଦୁଇ ମାସ ରୁ ଅଧିକ ହେବ ବିଜୁଳି ନଥିଲା । ଟ୍ରାନ୍ସଫର୍ମର ପୋଡିଯିବାରୁ ଅନ୍ଧାର ରେ ଥିଲେ ଗାଁ ର ଲୋକେ । ଆଉ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆଉ କିଛି ଦିନ ପରେ ମ୍ୟାଟ୍ରିକ ପରୀକ୍ଷା ପିଲାଏ ପାଠ ପଢିବେ କେମିତି ତାହାକୁ ନେଇ ଚିନ୍ତା ରେ ଥିଲେ ଗାଁର ଲୋକମାନେ । ଘର ଭିତରେ ସଂଜ ହୋଇଗଲେ ମାଟି ଦୀପର ମିଞ୍ଜିମିଞ୍ଜି ଆଲୁଅରେ ପାଠପଢୁଥିଲେ ପିଲାମାନେ । ଡିବିରି ଜାଳି ଝାପସା ଆଲୁଅରେ ପାଠ ପଢୁଥିବାର ଚିତ୍ର ସାମନାକୁ ଆସିଥିଲା । ଏପରିକି ଦୀପ ଓ ଟର୍ଚ୍ଚ ଆଲୁଅରେ ପରୀକ୍ଷା ପ୍ରସ୍ତୁତି ଚଳାଇଥିଲେ କିଛି ଛାତ୍ରଛାତ୍ରୀ । ଏହି ସମସ୍ୟାର ଖବର ପ୍ରସାରଣ ପରେ ଏବେ ଚେତିଛି ପ୍ରଶାସନ ଆଉ ନେଇଛି ପଦକ୍ଷେପ । ଯାହାକୁ ସ୍ୱାଗତ କରିଛନ୍ତି ପୁରା ଗାଁର ଲୋକ ।