କନକ ବ୍ୟୁରୋ: ଆଜି ଶେଷ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷା ଶେଷ ଦିନରେ ଛାତ୍ରଛାତ୍ରୀ ପରସ୍ପରକୁ ରଂଗ ବୋଳି ଖୁସି ମନାଇଛନ୍ତି । ଆଉ ଅନ୍ୟପଟେ ପରୀକ୍ଷା ସରୁ ସରୁ ମାଳ ମାଳ ପ୍ରଶ୍ନ ଉଠିଛି । ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ପ୍ରଶ୍ନପତ୍ର ଲିକ୍, ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଧାନସଭାରେ ହଙ୍ଗାମା କରିଛନ୍ତି । ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ।
ସୋମବାର ମାଟ୍ରିକ ପରୀକ୍ଷା ସରିଛି । ଗୋଟିଏ ପଟେ ପରୀକ୍ଷା ସରିଥିବାରୁ ଛାତ୍ରଛାତ୍ରୀ ଖୁସି ମନାଇଥିବାବେଳେ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ବିଧାନସଭାରେ ହୋଇଛି ହଙ୍ଗାମା । ପ୍ରଶ୍ନକାଳରେ ଗୃହରେ ଭାଇରାଲ ପ୍ରଶ୍ନପତ୍ର ଦେଖାଇ ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ଆଣି ନାରାବାଜି କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବିଜେପି ଅଭିଯୋଗ କରିଛି, ପୁରୀରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଛିା ଏନେଇ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବି କରି ଗୃହରେ ହଟଗୋଳ କରିଥିଲେ ବିରୋଧୀ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ୪ ଟା ପରେ ହଟ୍ଟଗୋଳ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଓ ଗଣିଶିକ୍ଷା ମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କ ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ । ଶୃଙ୍ଖଳିତ ଭାବେ ପରୀକ୍ଷା ଶେଷ ହୋଇଛି । ଏପ୍ରିଲ୩ରୁ ଖାତା ଦେଖା ଆରମ୍ଭ ହେବ ଓ ସମସ୍ତ କାମ ଶୃଙ୍ଖଳିତ ଭାବେ ଶେଷ ହେବ । ସେପ୍ଣଙ୍କ ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରେ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା ।
ପିଲା ମନାଇଲେ ଖୁସିର ଉତ୍ସବ, ଏପ୍ରିଲ୩ ରୁ ହେବ ଖାତାଦେଖା । ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀ ଏକାଠି ହୋଲି ଖେଳି ଖୁସି ମନାଇଛନ୍ତି । ଛାତ୍ରଛାତ୍ରୀ ପରସ୍ପରକୁ ରଙ୍ଗ ଲଗାଉଥିବା ଦେଖିବାକୁ ମିଳିଛି କଟକ ଓ ବାଙ୍କୀରେ । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ମାଟ୍ରିକ ପରୀକ୍ଷା ସରିଥିବା ବେଳେ ଆସନ୍ତା ଏପ୍ରିଲ ତିନି ତାରିଖରୁ ଖାତା ଦେଖା ଆରମ୍ଭ ହେବ । ୫୬ ଟି କେନ୍ଦ୍ରରେ ମୂଲ୍ୟାୟନ କରାଯିବ । ୪୫ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବା ସହ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଶେଷଦିନରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା, ରଶି ଲଗାଇ ଝୁଲିପଡିଲେ ଛାତ୍ରୀ । ମାଟ୍ରିକ ପରୀକ୍ଷାର ଶେଷ ଦିନରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା । ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁର ରଶ୍ମିବାଲା ପାଇଲି ଆତ୍ମହତ୍ୟା କରିଛନ୍ତି । ପରୀକ୍ଷା ଚାପରେ ସେ ଆତ୍ମହତ୍ୟା କରିବୋଲି ପରିବାର ଲୋକ କହିଛନ୍ତି । ଘର ଭିତରେ ରଶି ଲଗାଇ ଛାତ୍ରୀ ଜଣଙ୍କ ଝୁଲି ପଡିଥିଲେ ।