ପରାଜୟ ପରେ ଚାଲିଛି କାରଣ ଖୋଜା ! ୟୁପିରେ ସପାର ଖରାପ ପ୍ରଦର୍ଶନ ପରେ ଆକ୍ସନ ମୁଡରେ ଅଖିଲେଶ, କିଛି ନେତାଙ୍କ ଉପରେ ହୋଇପାରେ କାର୍ଯାନୁଷ୍ଠାନ ।

194

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ମୋଦି ମ୍ୟାଜିକ୍ ଆଗରେ ସବୁକିଛି ଫିକା ପଡିଛି । ନିର୍ବାଚନର ଫଳାଫଳର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ଅନେକ ରାଜନୈତିକ ଦଳକୁ ଦୋହଲାଇଦେଇଛି । ୨୦୧୪ରେ ଯେଉଁ ମୋଦି ଝଡ ଆସିଥିଲା ୨୦୧୯ ବେଳକୁ ତାହା ମୋଦି ସୁନାମିରେ ପରିଣତ ହୋଇଛି । ଆଉ ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ ସମାଜବାଦି ପାର୍ଟିକୁ ନିର୍ବାଚନ ଫଳାଫଳ ଏକ ଶକ୍ତ ଝଟକା ଦେଇଛି ।

ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟ ପରେ ମଧ୍ୟ ଲୋକସଭା ନିର୍ବାଚନରେ ସପା-ବସପା ମେଣ୍ଟର ୩୨ ଜଣ ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଆଉ ନିର୍ବାଚନରେ ଏହି ବଡ ପରାଜୟ ପରେ ଏବେ କାରଣ ଖୋଜୁଛନ୍ତି ସପା ଅଧ୍ୟକ୍ଷ ଅଖିଲେଶ ଯାଦବ । ଚାଲିଛି ପରାଜୟର ପୋଷ୍ଟମର୍ଟମ, ବସୁଛି ତୁହାକୁ ତୁହା ବୈଠକ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ଏହି ବୈଠକରେ ମୂଲାୟମ୍ ସିଂହ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ନିର୍ବାଚନରେ ସମାଜବାଦୀ ପାର୍ଟିର ବଡ ପରାଜୟ ପରେ ଦଳର କିଛି ନେତାଙ୍କ ଉପରେ ନାରାଜ ଅଛନ୍ତି ଅଖିଲେଶ । ଏପରିକି କିଛି ନେତାଙ୍କ ଉପରେ ସପା ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ପରାଜୟ ପରେ ବର୍ତ୍ତମାନ ସମୀକ୍ଷା କରୁଛନ୍ତି ଅଖିଲେଶ । ସୂଚନା ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନରେ ବସପା ସହ ମେଣ୍ଟ କରି ଉତ୍ତରପ୍ରଦେଶର ମୋଟ୍ ୩୭ଟି ଆସନରେ ନିର୍ବାଚନ ଲଢୁଥିଲେ ସପା । କିନ୍ତୁ ମାତ୍ର ୫ଟି ଆସନରେ ହିଁ ବିଜୟ ବାନା ଉଙ୍ଗାଇବାରେ ସମର୍ଥ ହୋଇଥିଲା ସପା-ବସପା ମହାମେଣ୍ଟ ।