କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଲୋକେ ଲମ୍ବା ଲାଇନରେ ଛିଡା ହୋଇ ନେତା ବାଛୁଚନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ଫିରୋଜବାଦର ଏକ ଦୃଶ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଫିରୋଜାବାଦରେ ଥିବା ଏକ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଜଣେ ନବ ବିବାହିତା । ବେଦୀରୁ ଉଠି ଶାଶୁଘରକୁ ଯିବା ଆଗରୁ ଭୋଟଦାନ କେନ୍ଦ୍ରରେ ପହଞ୍ଚି ମତଦାନ କରିଥିଲେ ନବ ବିବାହିତା ।

Advertisment

ମିଳିଥିବା ସୂଚନା ମୁତାବକ, ଫିରୋଜାବାଦ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ହନୁମାନଗଡର ୩୦୫ ନମ୍ବର ବୁଥରେ ସକାଳୁ ସକାଳୁ ପହଞ୍ଚିଥିଲେ ଜଣେ ନବ ବିବାହିତା । ହଠାତ୍ ଫୁଲରେ ସଜ୍ଜା ହୋଇଥିବା ଗାଡି କାହିଁକି ଭୋଟଦାନ କେନ୍ଦ୍ରରେ ପହଞ୍ଚିଲା ତାହାର କାରଣ କେହି ଜାଣିପାରିନଥିଲେ । ତେବେ ଗାଡି ଭିତରୁ ଯେତେବେଳେ ନବ ବିବାହିତ କନ୍ୟା ଆସି ଭୋଟ ଦେବାକୁ ବୁଥ୍ ଭିତରକୁ ପଶିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଉକ୍ତ ନବ ବିବାହିତ କନ୍ୟା ଜଣକ କହିଛନ୍ତି, ଶାଶୁଘର ଯିବା ପୂର୍ବରୁ ମତଦାନ କରି ବହୁତ ଭଲ ଲାଗିଲା । ଆଉ ଉକ୍ତ କନ୍ୟା ଜଣଙ୍କର ଏଭଳି ଆଭିମୁଖ୍ୟ ଲୋକତନ୍ତ୍ରକୁ ଆହୁରି ସୁଦୃଢ କରିବ ।

ଏହାପୂର୍ବରୁ ଗତ ୧୪ ଫେବ୍ରୁଆରୀରେ ମଧ୍ୟ ଏଭଳି ଏକ ଘଟଣା ଉତ୍ତରାଖଣ୍ଡରୁ ଆସିଥିଲା । ଯେତେବେଳେ ବିବାହ ପୂର୍ବରୁ ବର ଓ କନ୍ୟା ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଏବଂ ସମସ୍ତଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ।