ଶୋଇଛି ଶିକ୍ଷା ବ୍ୟବସ୍ଥା ! ସ୍ୱାଧିନତାର ଦୀର୍ଘ ଦଶନ୍ଧି ପରେ ବି ରାୟଗଡ଼ାର କାଞ୍ଜମଯୋଡ଼ିକୁ ପଡୁନି ପାଠର ପାଦ, ଫୁଙ୍ଗୁଳା ଦେହ ସାଙ୍ଗକୁ ଛେଳି ଚରେଇ ଶିକ୍ଷା ସ୍ୱପ୍ନ ଦେଖୁଛନ୍ତି ଡଙ୍ଗରିଆ ପିଲା । 

135

କନକ ବ୍ୟୁରୋ: ଶିକ୍ଷା ଅଧିକାରରୁ ବଂଚିତ ଡଙ୍ଗରିଆ ପିଲା । ପାଠପଢା ସମୟ ବିତୁଛି ଗାଁ ଦାଣ୍ଡରେ । ଖେଳ ସାଙ୍ଗକୁ ଛେଳି ଚରେଇ ବିତୁଛି ସମୟ । ସ୍ୱାଧିନତାର ଦୀର୍ଘ ଦଶନ୍ଧି ପରେ ପାଠ ପଢିବା ପାଇଁ ଚାହୁଁଛନ୍ତି ନିୟମଗିରିର ଡଙ୍ଗରିଆ ପିଲା । ହେଲେ ଗାଁରେ ନା ଅଛି ସ୍କୁଲ ନା ଅଙ୍ଗନୱାଡି କେନ୍ଦ୍ର । ଏଭଳି ପରିସ୍ଥିତିରେ ଶିକ୍ଷା ଠାରୁ ଅନେକ ଦୂରରେ ରାୟଗଡାର କାଂଜମଯୋଡି ଗାଁ ।

ଆମେ ବି ପଢିବୁ, ଆମେ ବି ବଢିବୁ । ଶିକ୍ଷାର ଆଲୋକରେ ଆଲୋକିତ ହେବୁ । ଏମିତି ସ୍ୱପ୍ନ ଦେଖୁଛନ୍ତି ଡଙ୍ଗରିଆ ପିଲା । ହେଲେ କେମିତି ପୂରଣ ହେବ କୁନି କୁନି ପିଲାଙ୍କ ସ୍ୱପ୍ନ? କାରଣ ଗାଁରେ ଶିକ୍ଷାର ଆଲୋକ ବୁଣିବା ପାଇଁ ଅଙ୍ଗନୱାର୍ଡି କି ସ୍କୁଲଟିଏ ନାହିଁ । ଆମେ କହୁଛୁ ରାୟଗଡା ଜିଲ୍ଲା ବିଶମକଟକର ନିୟମଗିରି ପାହାଡ ଉପରେ ଥିବା କାଂଜମଯୋଡି ଗାଁର କଥା । ଗାଁରେ ୨୦ରୁ ଅଧିକ ପରିବାରର ପ୍ରାୟ ୩୫ରୁ ଅଧିକ ପିଲ ଅଛନ୍ତି । ପାଠ ପଢିବାକୁ ହେଲେ ଗାଁ ଠାରୁ ୫ କିଲୋମିଟର ଦୂର ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡିବ । ଘାଟି ଓହ୍ଲାଇ ଟ୍ରେନ ଲାଇନ୍ ପାରି ହେଲେ ଅଙ୍ଗନୱାର୍ଡି କେନ୍ଦ୍ରରେ ପହଂଚି ହେବ । ତେଣୁ ଏତେ ଦୂରକୁ ପିଲାଙ୍କୁ ଛାଡିବାକୁ ଭୟ କରୁଛନ୍ତି ଡଙ୍ଗରିଆ ଅଭିଭାବକ ।

କାଂଜମଯୋଡି ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବା ବେଳେ ବିଦ୍ୟାଳୟ କଥା ଭାବିବା ଭୂଲ । ନିୟମଗିରି ପାହାଡ ଉପରେ ଥିବା ଏହି ଗାଁରେ ପାଠ ପଢିବା ପାଇଁ ସାଧନ ନଥିବାରୁ ଡଙ୍ଗରିଆ ପିଲାଙ୍କ ସମୟ ବିତୁଛି ଖେଳକୁଦ ଓ ଛେଳ ଚରେଇବାରେ । ତେବେ ଗାଁରେ ଏକ ସ୍କୁଲଟିଏ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ନିୟମଗିରି ଡଙ୍ଗରିଆଙ୍କ ପାଇଁ ସରକାର ବହୁତ କିଛି କରୁଛନ୍ତି, ଗାଁରେ ନିହାତି ଏକ ଅଙ୍ଗନୱାଡି କେନ୍ଦ୍ର ରହିବା କଥା ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।