କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ପଦ୍ମ ଶିବିରରେ ସାମିଲ ହେବା ପରେ, ଏବେ ବିଜେପି ନେତା ଦେଇଛନ୍ତି ବଡ ବୟାନ । ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ । ବିଜେଡି ବସା ଖାଲି ହେଇଯିବ । ହେଲେ ବିଜେପି ହେଉଛି ଜାତୀୟ ଦଳ । ଜାତୀୟ ଦଳର କେବେ ବି ବିଲୟ ହୁଏନି ବୋଲି କହିଛନ୍ତି ଅରବିନ୍ଦ ଢାଲି।

Advertisment

ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ ଢାଲି କହିଛନ୍ତି ଯେ, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା । ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି । ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିରେ ସ୍ୱାଧୀନତା ନାହିଁ । ସେ ମଧ୍ୟ ବିଜେଡିରେ ଅଣନିଶ୍ୱାସୀ ହେଇ ରହିଥିଲେ । ସେ ସମୟରେ ମନ୍ତ୍ରୀ, ଏମଏଲଏ କେହି ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିଲେ । ହେଲେ ଏବେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଅଭିଯୋଗ ଦେଇପାରୁଛନ୍ତି ।

ଅନ୍ୟପଟେ ବିଜେଡିକୁ ବିଜେପି ଭାଙ୍ଗିବା ଓ ମମତା ମହନ୍ତ ବିଜେପିରେ ସାମିଲ ହେବା ପ୍ରଶ୍ନର ଉତ୍ତର ଦେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ, ବିଜେପି ଏହା ଜାଣିଥିଲା । ମମତା ମହନ୍ତ ଇମୋସନାଲ ହେଇ ଇସ୍ତଫା ଦେଇନାହାଁନ୍ତି । ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡୁଥିଲା । ହେଲେ ରାଜ୍ୟସଭାରେ ଏବେ ବି ବିଜେଡି ସାଂସଦମାନେ ଏକତ୍ରିତ ଅଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।