ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ବି ଶତକ ମାରିଲା ପେଟ୍ରୋଲ । ଜାଣନ୍ତୁୂ କେଉଁ ରାଜ୍ୟରେ କଣ ରହିଛି ଦାମ୍

102

କନକ ବ୍ୟୁରୋ : କରୋନା କାଳରେ କନ୍ଦାଉଛି ପେଟ୍ରୋଲ । କରୋନା କାଳରେ ଲୋକମାନେ ବେରୋଜଗାର ହେଉଛନ୍ତି । ବାହାରକୁ ବାହାରି ନପାରିବାରୁ ବେପାର ବଣିଜ ଠପ୍ । ଏହାରି ଭିତରେ ଦୈନ ଦିନ ଦେଶରେ ତେଲଦର ବୃଦ୍ଧି ହେଉଥିବାରୁ ଏହାର ପ୍ରଭାବ ବଜାର ଦର ଉପରେ ପଡୁଛି । ଫଳରେ ସାଧାରଣ ଖାଉଟି ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଛି ।

ଆଜି ସକାଳ ୬ ଟାରେ ଜାରି ହୋଇଥିବା ପେଟ୍ରୋଲ ଓ ଡିଜେଲର ଦର ମୁତାବକ ରାଜସ୍ଥାନର ଶ୍ରୀଗଙ୍ଗାନଗର ଠାରେ ପେଟ୍ରୋଲର ଦାମ ୧୦୩.୫୨ ଟଙ୍କାରେ ପହଂଚଛି । ଦେଶରେ ପେଟ୍ରୋଲ ଦର ଶତକ ମାରିବାରେ ରାଜସ୍ଥାନ ଦ୍ୱିତୀୟ ରାଜ୍ୟ । ଏହା ପୂର୍ବରୁ ମଧ୍ୟପ୍ରଦେଶରେ ବି ପେଟ୍ରୋଲର ଦାମ ୧୦୦ ଟଙ୍କା ପାର କରିଥିଲା । କେବଳ ସେତିକି ନୁହେଁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବି ପେଟ୍ରୋଲ ୨୪ ପଇସା ବଢି ୯୨.୫୮ ଟଙ୍କା ଓ ଡିଜେଲ ୨୭ ପଇସା ବଢି ୮୩.୨୨ ଟଙ୍କାରେ ପହଂଚିଛି ।

କହିରଖୁ କି ୫ ଟି ରାଜ୍ୟର ନିର୍ବାଚନ ପରେ ମେ ମାସରେ ପେଟ୍ରୋଲ ଓ ଡିଜେଲର ଦର ୯ ଥର ବୃଦ୍ଧି ପାଇଛି । ଏନେଇ ତୈଳମନ୍ତ୍ରୀ କୌଣସି ସ୍ପଷ୍ଟ କାରଣ ଦର୍ଶାଇ ପାରୁନଥିବା ବେଳେ ଏଭଳି ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି । କରୋନା କାଳରେ ଏଭଳି ଭାବେ ତୈଳଦର ବୃଦ୍ଧିକୁ ବିରୋଧ କରିଛନ୍ତି ଦେଶର ବିରୋଧୀ ଦଳମାନେ ।