ସିନ୍ଦୂର ପୋଛିଦେଲା ସିକ୍କିମ ପ୍ରଳୟ । ଫେବୃୟାରୀରେ ହୋଇଥିଲା ବାହାଘର, ବନ୍ୟା ଉଜାଡିଦେଲା ଓଡିଆ ଯବାନ ସରୋଜଙ୍କ ସଂସାର…

292

କନକ ବ୍ୟୁରୋ: କାନ୍ଥରୁ ଲିଭିନି ବାହାଚିତା, କିନ୍ତୁ ଲୋପାଙ୍କ ମଥାରୁ ଲିଭି ଯାଇଛି ସିନ୍ଦୂର । ସାତ ମାସ ତଳେ ଆରମ୍ଭ ହୋଇଥିବା ସମ୍ପର୍କର ସାକ୍ଷୀ ଆଜି ବି ସିମେଣ୍ଟ କାନ୍ଥରେ ଦାଉଦାଉ ହୋଇ ଝଟକୁଛି ସତ ହେଲେ ସୁଦୂର ସିକ୍କିମରେ ଜୀବନ ସାଥି ସବୁଦିନ ପାଇଁ ଜୀବନ ହରେଇବା ପରେ ନାଲି ସିନ୍ଦୂରରେ ଝଟକୁଥିବା ସେ ସିନ୍ଥିଟା ମଳିନ ପଡି ଯାଇଛି । ବିଧୁରାପଣକୁ ଧିରେ ଧିରେ ଆପଣେଇବାର ସାହସ ଜୁଟାଉଛି…

ଆଜି ବି କାନ୍ଥରେ ଶୁଭବିବାହର ସେ ତାରିଖ ଲେଖା ଅଛି । ଚଳିତ ବର୍ଷ ଫେବୃୟାରି ୧୧ ତାରିଖରେ ଜଣେ ବୀର ଯବାନଙ୍କୁ ବିବାହ କରିଥିଲେ ଲୋପାମୁଦ୍ରା । ପ୍ରେମ ପର୍ବର ସେ ପ୍ରୀତିମୟ ସପ୍ତାହରେ ଦୁହେଁ ଦୁହିଁଙ୍କୁ ସାଥି କରିଥିଲେ । ଆଉ ସେଦିନ ପ୍ରମିଜ ଡେ’ ପଡିଥିବାରୁ, ବିବାହ ବେଦୀରେ ହୋମନିଆଁକୁ ସାକ୍ଷୀ ରଖି ଜୀବନରେ ନୂଆ ଫର୍ଦ୍ଦ ଯୋଡିବା ପରେ ଦୁହେଁ ଦୁହିଁଙ୍କ ହାତ ନଛାଡିବାର ପ୍ରତିଜ୍ଞା କରିଥିବେ ନିଶ୍ଚିତ । ହେଲେ ସେଦିନର ସେ ପ୍ରତିଜ୍ଞା, ସେ ପ୍ରତିଶ୍ରୁତି ମାତ୍ର କେଇ ମାସ ଭିତରେ ଯେ ପ୍ରଳଙ୍କାରୀ ବନ୍ୟାର ବିଭୀଷିକାରେ ସବୁଦିନ ପାଇଁ ଭାସିଯିବ ତାହା କେବେ ଭାବିନଥିଲେ ଲୋପାମୁଦ୍ରା ।

ଆଲବମରେ ଆଜି ବି ବିବାହ ବେଳର ସେ ଫଟୋକୁ ଦେଖିଲେ ସ୍ୱାମୀଙ୍କ ସହ ସବୁ ସ୍ମୃତି ତାଜା ହୋଇଉଠେ । ହେଲେ ଫଟୋରେ ଥିବା ତାଙ୍କ ସରୋଜ କଣ ଆଉ ସତରେ ଫେରିବେ, ନା… ଫେରିବ ତ କେବଳ ତାଙ୍କ ସ୍ମୃତି । ବୋଧହୁଏ ଏ ଆଲବମଗୁଡା ସେଇ ସ୍ମୃତିକୁ ଧରି ରଖିବାକୁ ହିଁ ତିଆରି ହୋଇଥାଏ ।

ସିକିମରେ ନିୟୋଜିତ ଥିଲେ ଓଡିଆ ଯବାନ ସରୋଜ । ମଙ୍ଗଳବାର ରାତିରେ ସିକିମରେ ପ୍ରବଳ ବର୍ଷା ହେଉଥିବା ନେଇ ପରିବାର ଲୋକଙ୍କୁ ଫୋନ କରି କହିଥିଲେ । ଆଉ ବର୍ଷା ଛାଡିଲେ ସେ ଫେରି ଆସିବେ ବୋଲି କଥା ଦେଇଥିଲେ, ହେଲେ ସେହି ବର୍ଷା ତାଙ୍କୁ ତାଙ୍କ ପରିବାର ଠାରୁ ସବୁଦିନ ପାଇଁ ଅଲଗା କରିଦେଲା । ବର୍ଷା ଛାଡିଗଲା ସତ ହେଲେ ଫେରିଲେନି ସରୋଜ । ପ୍ରକୃତିର ପ୍ରଳୟ ପାଟିରୁ ନିଜ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିପାରିଲେନି ।

ପ୍ରଥମେ ସରୋଜଙ୍କ ନିଖୋଜ ଖବର ମିଳିବା ପରେ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଗାଁରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । କିନ୍ତୁ ନିୟତି ଆଗରେ ବୃଥା ଯାଉଥିଲା ସବୁ ପ୍ରାର୍ଥନା । ଖବର ଆସିଲା ସରୋଜ ଆଉ ନାହାନ୍ତି, ବୀର ପୁଅ ସହିଦ ହୋଇ ଯାଇଛନ୍ତି । ବାସ୍ ତାପରେ ଆବାକ ହୋଇଯାଇଥିଲା ପରିବାର । ବାକଶୂନ୍ୟ ହୋଇଥିଲେ ବୃଦ୍ଧ ବାପାମାଆ । ଭୋ ଭୋ କାନ୍ଦିଥିଲେ ଭାଇ ଭାଉଜ ଆଉ ଛାତିପିଟି ସ୍ୱାମୀଙ୍କ ପାଇଁ ଲୁହର ନଦୀ ବୁହାଇଥିଲେ ସ୍ତ୍ରୀ ଲୋପାମୁଦ୍ରା । ସେପଟେ ବୀର ପୁଅକୁ ହରାଇ, ଆଖିରୁ ଲୁହ ଝରାଇ କଇଁକଇଁ ହୋଇ କାନ୍ଦି ଚାଲିଛି ଢେଙ୍କାନାଳ କାମାକ୍ଷାନଗରର କେନ୍ଦୁଢିପ ଗାଁ…