ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । କୋରାପୁଟ କୋଟିଆ ପରେ ଏବେ ଆନ୍ଧ୍ର ପ୍ରଶାସନର ଟାର୍ଗେଟରେ ନାରାୟଣପାଟଣାର ଲଙ୍ଗଳବେଡ଼ା । ମାଇଲଖୁଣ୍ଟ ପୋତି ସ୍ଥାନୀୟ ଲୋକଙ୍କୁ ପଟା ବାଣ୍ଟିଲା ଆନ୍ଧ୍ର । ଲିଖିତ ଅଭିଯୋଗ କରି ବୈଠକ ଡାକିଲେ କୋରାପୁଟ ଜିଲ୍ଲାପାଳ

111

କନକ ବ୍ୟୁରୋ : ଓଡ଼ିଶା ସୀମାନ୍ତ ଅଂଚଳକୁ ମାଡ଼ିବସୁଛି ଆନ୍ଧ୍ର । ଓଡ଼ିଶାର ଜମିକୁ ନିଜର କରି ଲୋକଙ୍କୁ ଦେଇଥିଲା ଜମି ପଟା । ଏପରିକି ସେହି ଜମିରେ ମାଇଲଖୁଂଟ ପୋତିଥିଲା ଆନ୍ଧ୍ର । ହେଲେ କୋରାପୁଟ ଜିଲ୍ଲା ପ୍ରଶାସନର ବିରୋଧ ପରେ ରାତାରାତି ଆନ୍ଧ୍ର ଉଠାଇ ନେଇଛି ମାଇଲ ଖୁଂଟ ।

ଆନ୍ଧ୍ର ସହ କୋଟିଆ ବିବାଦ ନତୁଟୁଣୁ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । କୋରାପୁଟ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଂଚାୟତର ଜମିକୁ ମାଡ଼ି ବସିଛି ଆନ୍ଧ୍ର ପ୍ରଦେଶ । ଓଡିଶା ସୀମାରେ ଥିବା ଜମିକୁ ନିଜ କବଜାକୁ ନେଇ ମାଇଲଖୁଂଟ ପୋତିବା ସହ ସେଠାକାର ଲୋକଙ୍କୁ ପଟା ପ୍ରଦାନ କରିଛି ଆନ୍ଧ୍ର । ଏପରିକି ଓଡ଼ିଶା ଲୋକଙ୍କୁ ଆନ୍ଧ୍ର ସହ ମିଶିବାକୁ ପ୍ରଲୋଭନ ଦେଖାଯାଉଥିବା ଅଭିଯୋଗ ହୋଇଛି ।

ଆନ୍ଧ୍ରର ଏହି ଦୋମୁହଁ ନୀତିକୁ ନେଇ କୋରାପୁଟ ଜିଲ୍ଲାପାଳ, ଆନ୍ଧ୍ର ପ୍ରଶାସନ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତିି । ଘଟଣା ସ୍ଥଳରେ ବନବିଭାଗ, ରାଜସ୍ୱ ବିଭାଗ, ଉପଜିଲ୍ଲାପାଳ, ତହସିଲଦାର ପହଂଚି ତନାଘନା କରିବା ପରେ ରାତି ଅଧିଆ ମାଇଲଖୁଂଟ ଉଠାଇ ନେଇଛି ଆନ୍ଧ୍ର ପ୍ରଶାସନ । ଆନ୍ଧ୍ରର ଏପରି କାର୍ଯ୍ୟକଳାବା ବାବଦରେ ଆଲୋଚନା ପାଇଁ ତୁରନ୍ତ ଜରୁରୀ ବୈଠକ ଡ଼କାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।