କାଳବୈଶାଖୀ ପରେ ରାଜଧାନୀରେ ଗାଏବ ହୋଇଗଲା ବିଜୁଳି। ଟ୍ୱିଟ୍ କରି ମୁଖ୍ୟ ଶାସନ ସଚିବ ଟାଟା ପାୱାରକୁ କଲେ ଟାର୍ଗେଟ

360

କନକ ବ୍ୟୁରୋ: ଗୁରୁବାର କାଳବୈଶାଖୀର ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାଏବ ହୋଇଯାଇଥିଲା । ଗତକାଲି ପ୍ରାୟ ୪ଟା ବେଳେ ରାଜଧାନୀରେ ଝଡ ବର୍ଷା ଓ ପବନ ଯୋଗୁଁ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ୍ ହୋଇଥିଲା । ଘଣ୍ଟା ଘଣ୍ଟା ଧରି ବିଜୁଳି କଟିବାରୁ ହନ୍ତସନ୍ତ ହୋଇଥିଲେ ଜନତା । ଦୀର୍ଘ ୩ ଘଣ୍ଟା ଧରି ବିଦ୍ୟୁତ ଠପ ହୋଇଯିବା ପରେ ଶକ୍ତି ବିଭାଗ ଟ୍ୱିଟ୍ କରି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ଟିପିସିଏଲକୁ ନିର୍ଦ୍ଦେଶ ଦେଇଥିଲା । ଏହି ଟ୍ୱିଟକୁ ଟ୍ୟାଗ କରି ମୁଖ୍ୟ ଶାସନ ସଚିବ ଟାଟା ପାୱାରକୁ ଟାର୍ଗେଟ କରିଛନ୍ତି । ଲେଖିଛନ୍ତି, ଭୁବନେଶ୍ୱରରେ ବିଦ୍ୟୁତ ସେବା ସ୍ୱାଭାବିକ ହେବାକୁ ବହୁତ ସମୟ ଲାଗୁଛି । ଏହାକୁ ତୁରନ୍ତ ଓ ଦ୍ରୁତଗତିରେ କରାଯାଉ । ତେବେ କାଳବୈଶାଖୀରେ ଏମିତି ସ୍ଥିତି ହେଲେ ବାତ୍ୟା ହେଲେ କ’ଣ ଅବସ୍ଥା ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଶ୍ନ କରିଛନ୍ତି ।

ପବନ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଥିଲା । ଫଳରେ ଦୁଇ ନମ୍ବର ମାର୍କେଟ, ଆଇଜି ପାର୍କ. ମାର୍କେଟ ବିଲଡିଙ୍ଗ, ମାଷ୍ଟର କ୍ୟାଂଟିନକୁ ଲାଗି ରହିଥିବା ସରକାରୀ କ୍ୱାର୍ଟର ଓ ରାଜମହଲ ଅଚଂଳରେ ବିଜୁଳି କାଟ୍ ହୋଇଥିଲା । ରସୁଲଗଡ ଅଞ୍ଚଳର ପଳାଶୁଣି, ଜିଜିପି କଲୋନୀ ଅଞ୍ଚଳରେ ବି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଲୋକେ ହଇରାଣ ହୋଇଥିଲେ ।