କନକ ବ୍ୟୁରୋ: ଗତ କିଛି ଦିନ ତଳେ ଉତ୍ତରାଖଣ୍ଡ ଯୋଶୀମଠର ବିିଭିନ୍ନ ଅଞ୍ଚଳରେ ମାଟି ଧସିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଯୋଶୀମଠ ପରେ ଏବେ ଜାମ୍ମୁ କଶ୍ମୀରର ଡୋଡ଼ା ଅଞ୍ଚଳରେ ମାଟି ଧସିବା ସହ ଘର ଗୁଡ଼ିକରେ ଫାଟ ଦେଖିବାକୁ ମିଳିଛି । ଡୋଡାର ଥାଥରୀ ନଗରପାଳିକାର ନୂଆ ବସ୍ତିରେ ଲୋକଙ୍କ ଘର, ସ୍କୁଲ ଆଦିରେ ବଡ଼ ବଡ଼ ଫାଟ ହୋଇଛି । କେବଳ ଘର କାନ୍ଥରେ ଫାଟ ସୃଷ୍ଟି ନୁହେଁ, ମସଜିଦ ସହ ଅନ୍ୟ ଧାର୍ମିକ ପୀଠରେ ମଧ୍ୟ ଫ୍ଧଙ୍କ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଖେଳିଯାଇଛି ଭୟର ବାତାବରଣ । ତେବେ ସ୍ଥାନୀୟ ଡୋଡା ଅଞ୍ଚଳରେ ପାଖାପାଖି ୨୦ଟି ଘରରେ ଏପରି ଦେଖା ଦେଇଥିବାବେଳେ ସେଥିମଧ୍ୟରୁ ଗୋଟିଏ ଘର ସମ୍ପୂର୍ଣ୍ଣ ରୂପେ ଭୁଷୁଡ଼ି ପଡ଼ିଛି ।

Advertisment

ତେବେ ହଠାତ ଘରଗୁଡ଼ିକରେ ଫାଟ ସୃଷ୍ଟି ହେବାରୁ ଲୋକମାନେ ଖୁବ ଭୟଭୀତ ହୋଇପଡ଼ିଛନ୍ତି । ମାଟି ଧସିଥିବା ଅଞ୍ଚଳ ଏବଂ ଫାଟ ସୃଷ୍ଟି ହୋଇଥିବା ଅଞ୍ଚଳକୁ ଅସୁରକ୍ଷିତ ଘୋଷଣା କରାଯାଇଛି । ପାଖାପାଖି ୨୦ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଭୂବିଜ୍ଞାନୀ ଟିମ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପୁରା ଟିମ ଘଟଣାସ୍ଥଳର ବିଭିନ୍ନ ସ୍ଥାନକୁ ଯାଇ ପରୀକ୍ଷା ଆରମ୍ଭ କରିଦେଇଛନ୍ତି । ଏବେ ପର୍ଯ୍ୟନ୍ତ ଏହାର କାରଣ ଜଣାପଡ଼ିନଥିବାବେଳେ ଏଥିପାଇଁ ଚିନ୍ତା ନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ମାସରେ ପ୍ରଥମେ ଡୋଡା ଅଞ୍ଚଳର କିଛି ଘରେ ଫାଟ ଦେଖିବାକୁ ମିଳିଥିଲା ।