ବିଜେପିରେ ସାମିଲ ହେଉ ହେଉ କମଳନାଥ ସରକାର ଉପରେ ବର୍ଷିଲେ ଜ୍ୟୋତିରାଦିତ୍ୟ । ପଦ୍ମ ପରିବାରରେ ସାମିଲ କରିଥିବାରୁ ମୋଦି, ଶାହା ଓ ନଡ୍ଡାଙ୍କୁ ଦେଲେ ଧନ୍ୟବାଦ ।

426

କନକ ବ୍ୟୁରୋ :  ବିଜେପିରେ ସାମିଲ ହେଲେ ମଧ୍ୟପ୍ରଦେଶ ରାଜନୀତିର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ । ଆଉ ଏହାସହ କଂଗ୍ରେସ ଓ କମଳନାଥ ସରକାର ଉପରେ ବର୍ଷିଛନ୍ତି । ବିଜେପିରେ ସାମିଲ ହେବା ସହ ପଦ୍ମ ପରିବାରରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜ୍ୟୋତିରାଦିତ୍ୟ । ଏହାସହ କହିଛନ୍ତି, ମୋ ଜୀବନରେ ୨ଟି ତାରିଖ ୩୦ ସେପ୍ଟେମ୍ବର ୨୦୦୧ ଓ ୧୦ ମାର୍ଚ୍ଚ ୨୦୨୦ ବେଶ ମହତ୍ୱପୂର୍ଣ୍ଣ । ୩୦ ସେପ୍ଟେମ୍ବରରେ ବାପାଙ୍କୁ ହରାଇଥିବା ବେଳେ ୧୦ ମାର୍ଚ୍ଚରେ କଂଗ୍ରେସ ଛାଡି ଏକ ବଡ ନିର୍ଣ୍ଣୟ ନେଇଥିବା କହିଛନ୍ତି ସିନ୍ଧିଆ ।

ବିଜେପିରେ ସାମିଲ ହେବା ସହ ସିନ୍ଧିଆ କହିଛନ୍ତି, ଆଜି ମୁଁ ଦୁଃଖିତ ଓ ବହୁତ ବ୍ୟଥିତ ମଧ୍ୟ । କଂଗ୍ରେସ ଦଳ ପୂର୍ବରୁ ଯେଉଁଭଳି ଥିଲା ତାହା ଏବେ ନାହିଁ । ପ୍ରଥମତଃ ବାସ୍ତିବକତାକୁ ଗ୍ରହଣ ନ କରିବା, ଦ୍ୱିତୀୟତଃ ନୂଆ ବିଚାରଧାରା ଓ ନୂଆ ନେତୃତ୍ୱଙ୍କୁ ସୁଯୋଗ ନ ଦେବା । ୨୦୧୮ରେ ଯେତେବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ସହ ଅନେକ ସ୍ୱପ୍ନ ଦେଖିଥିଲା । କିନ୍ତୁ ଏବେ ଏହି ସ୍ୱପ୍ନ ଭାଙ୍ଗି ସାରିଛି । ସରକାର ଗଢିବା ପରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ଏପରିକି ଏଭଳି ଦଳରେ ରହି ଜନସେବା କରି ହେବ ନାହିଁ ବୋଲି କହିଛନ୍ତି ସିନ୍ଧିଆ ।

ଏହାସହ ବିଜେପିରେ ସାମିଲ ହୋଇ ଦେଶ ପାଇଁ ସେବା କରିପାରିବି ବୋଲି କହିଛନ୍ତି ସିନ୍ଧିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସ୍ତରରେ ଏକ ନୂଆ ମଞ୍ଚ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଜ୍ୟୋତିରାଦିତ୍ୟ ।