କନକ ବ୍ୟୁରୋ: ରାଜଧାନୀରେ ଗ୍ୟାସ୍ ତାତି । ରନ୍ଧନ ଗ୍ୟାସ୍ ସିଲଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହେବା ପରେ ଏହାକୁ ନେଇ କମ୍ପିଛି ବିଜେଡି । କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରି ବିଜେଡିର ବଡ ବଡ ନେତା ଓ ବିଧାୟକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି ବିଜେଡି । ଦଳ ଅଭିଯୋଗ କରିଛି, ୨୦୧୪ରୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ରନ୍ଧନ ଗ୍ୟାସ ଦର ବଢି ବଢି ଚାଲିଛି ।

Advertisment
  • ରାଜଧାନୀରେ ‘ଗ୍ୟାସ’ ତାତି
  • ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହେବା ପରେ ଏହାକୁ ଜୋରଦାର ବିରୋଧ କରିଛି ବିଜେଡି । ଗତକାଲି ପ୍ରେସମିଟ୍ କରି ବର୍ଷିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଦଳ । ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ମହିଳା ଜନତା ଦଳ । ଗ୍ୟାସ୍ ଦରବୃଦ୍ଧି କରି ରୋଷେଇ ଶାଳ ଉପରେ କେନ୍ଦ୍ର ସରକାର ମାଡ଼ କରିଥିବା ଅଭିଯୋଗ କରି ବର୍ଷିଛି ବିଜେଡି ।

ପ୍ରତିବାଦରେ ସାମିଲ ହୋଇ ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଗରିବଙ୍କ ଆଖିରୁ ଲୁହ ପୋଛିବାକୁ ଉଜ୍ୱଳା ଯୋଜନା କରାଯାଇଥିଲା, ହେଲେ ବାରମ୍ବାର ଦରବୃଦ୍ଧି ଯୋଗୁଁ ଗରିବଙ୍କ ଆଖିରୁ ଲୁହ ଗଡୁଛି । ଦରବୃଦ୍ଧି ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ମହିଳା । ୮ ମାସ ପରେ ଅଚାନକ ଦରବୃଦ୍ଧି କାହା ସ୍ୱାର୍ଥରେ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ ।

ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି ବିଜେଡି । ରାଜଭବନ ଆଗରେ ଚୁଲି ଜାଳିବା ସହ ରାସ୍ତାରେ ଗ୍ୟାସ ସିଲିଣ୍ଡର ଗଡ଼ାଇ ପ୍ରତିବାଦ କରିଛନ୍ତି ବିଜୁ ମହିଳା ଜନତା ଦଳର ଶହ ଶହ କର୍ମୀ । କେନ୍ଦ୍ର ବିରୋଧରେ ନାରାବାଜି କରିବା ସହ ଏହି ଆନ୍ଦୋଳନ ଗାଁ ଗାଁରେ ହେବ ବୋଲି ଚେତାବନୀ ଦିଆଯାଇଛି । ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରି ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବାକୁ ଦାବି କରିଛ ବିଜେଡିି । ଏ ନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ଦଳ । ସୂଚନାଯୋଗ୍ୟ ଯେ, ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ରନ୍ଧନ ଗ୍ୟାସ ଦର ବଢି ବଢି ଚାଲିଛି । ଗତ ୯ ବର୍ଷରେ ପ୍ରାୟ ୩ଗୁଣ ଅଧିକ ହୋଇଯାଇଛି ଗ୍ୟାସର ମୂଲ୍ୟ ।