ପ୍ରକୃତି ଦେଉଛି ରୋଜଗାର । ଲଗାଣ ବର୍ଷା ପରେ ପାହାଡରୁ ମିଳୁଛି ଶ୍ରାବଣ ଛତୁ, ୮ଶହ ଟଙ୍କାରେ ହେଉଛି ବିକ୍ରି

29,169

କନକ ବ୍ୟୁରୋ : ଶ୍ରାବଣ ମାସର ଲଗାଣ ବର୍ଷା ପରେ ଉପାନ୍ତ ଅଂଚଳର ପାହାଡିଆ ଜଂଗଲରେ ଏହି ଶ୍ରାବଣ କଢ଼ ଛତୁ ଫୁଟିଥାଏ । ଆଉ ସ୍ଥାନୀୟ ଆଦିବାସୀ ମାନେ ଏହାକୁ ତୋଳି ଆଣି ବଜାରରେ ବିକ୍ରି କରିଥାନ୍ତି । ମାତ୍ର ମାସକ ପାଇଁ ଏହି ଶ୍ରାବଣ ଛତୁ ବଜାରରେ ଉପଲବ୍ଧ ହୋଉଥିବା ବେଳେ ଚଳିତ ବର୍ଷ ବଜାରକୁ କମ ପରିମାଣରେ ଶ୍ରାବଣ ଛତୁ ଆସିଛି । ଚଳିତ ବର୍ଷ ଅସ୍ୱଭାବିକ ମୌସୁମି ଯୋଗୁଁ ବିଳମ୍ବରେ ଏହି ଶ୍ରାବଣ ଛତୁ ବଜାରକୁ ଆସିଛି । ଆଉ ଗ୍ରାହକଙ୍କ ଚାହିଦା ଅନୁସାରେ ବଜାରରେ ଏହି ସୁଆଦିଆ ଛତୁ ଉପଲବ୍ଧ ନହେବାରୁ ଏହାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ଏହି ଶ୍ରାବଣ ଛତୁ ୩୦୦ ରୁ ୪୦୦ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହୋଉ ଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା କିଲୋ ୭୦୦ ରୁ ୮୦୦ ଟଙ୍କାରେ ବିକ୍ରି ହେଉଛି । ତେଣୁ କିଲେ ବଦଳରେ ଅଧା କିଲୋ ଛତୁ କିଣି ଘରକୁ ନେଉଛନ୍ତି ଗ୍ରାହକ ।

ଶ୍ରାବଣ ଛତୁ ହୋଉଛି ଏକ ରୁତୁକାଳିନ ଜଙ୍ଗଲ ଜାତ ଦ୍ରବ୍ୟ । ବିଶେଷ କରି ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡା ଜିଲ୍ଲାର ଉପାନ୍ତ ଅଂଚଳରେ ବାଲିଆ ମାଟିରେ ଶ୍ରାବଣ ଛତୁ ଆପେ ଆପେ ବଢିଥାଏ । ଆଉ ଆଦିବାସୀ ସମ୍ପ୍ରଦାୟରେ ଲୋକେ ଜଙ୍ଗଲରୁ ଏହି ଛତୁ ସଂଗ୍ରହ କରି ୫୦୦ ରୁ ୬୦୦ ଟଙ୍କା ଦରରେ ବିକ୍ରି କରନ୍ତି । ଆଉ ବ୍ୟବସାୟୀ ମାନେ ଏହାକୁ ବଜାରକୁ ଆଣି ୭୦୦ କିମ୍ବା ଚାହିଦା ଦେଖି ୮୦୦ ଟଙ୍କାରେ ବିକ୍ରି କରନ୍ତି    । ଆଉ ଏହାକୁ ବିକ୍ରି କରି ଉଭୟ ତୋଳାଳି ଏବଂ ବିକ୍ରି କରୁଥିବା ବ୍ୟବସାୟୀ ମଧ୍ୟ ଦୁଇ ପଇସା ରୋଜଗାର କରନ୍ତି ।

ବଜାରରେ ପାଳ ଛତୁ କିମ୍ବା ବଟନ ଛତୁ ସବୁବେଳେ ଉପଲବ୍ଧ ହୋଇଥାଏ । ତେବେ ଏହି ବିରଳ ଛତୁର ସ୍ୱାଦ କେବଳ ବର୍ଷା ଦିନରେ ଅଳ୍ପ କେଇ ଦିନ ପାଇଁ ମିଳିଥାଏ । ଖାଇବାକୁ ଏହା ବେଶ ସ୍ୱାଦିଷ୍ଟ ହୋଇଥିବାରୁ ଲୋକେ ଏହାଗୁ ବେଶ ଉତ୍ସାହର ସହ କିଣି ନିଅନ୍ତି ।