କନକ ବ୍ୟୁରୋ : ଆଜି କାଲି ଲୋକ ସବୁବେଳ ସୋସିଆଲ ମିଡିଆରେ ମହଜୁଦ ରହୁଛନ୍ତି ନିଜ ବିଷୟରେ ଟିକନିକ ବିବରଣୀ ଅପଲୋଡ କରୁଛନ୍ତି । ସେ ଛୋଟ ଖବର ହେଉ କିମ୍ବା ପୁରୁଣା କଥା, କଣେ ଚାହିଁଲେ ଅଳ୍ପ ସମୟରେ ସବୁ ତଥ୍ୟ ଆରାମରେ ପାଇଯାଇପାରିବ । କିଛି ଖବର ଲୁଚାଇବା ଏଣିକି କାଠିକର ପାଠ ହୋଇପଡୁଛି । ମହାରାଷ୍ଟ୍ର କ୍ୟାଡରର ପ୍ରଶିକ୍ଷଣ ଅବଧିରେ ଥିବା ଆଇଏଏସ ଅଧିକାରୀ ପୁଜା ଖେଡକରଙ୍କର ଦିବ୍ୟାଙ୍ଗ ପ୍ରମାଣତ୍ରକୁ ନେଇ ବିବାଦ ଥମି ନଥିବା ବେଳେ ଉତ୍ତରାଖଣ୍ଡରେ ସେପରି ଆଉ ଏକ ଘଟଣା ନେଇ ଆଇଏଏସ ନିତିକା ଖଣ୍ଡେଲବାଲଙ୍କ ଏକ ଭିଡିଓ ଭାଇରାଲ ହେଉଛି । ନିତିକା ୨୦୧୫ ବ୍ୟାଚର ଦିବ୍ୟାଙ୍ଗ କୋଟାରେ ଚୟନ ହୋଇଥିବା ଆଇଏଏସ ଅଧିକାରୀ । ସୋସିଆଲ ମିଡିଆରେ ନିତିକାଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସେ ଗାଡି ଚାଳନା ସମ୍ପର୍କିତ କିଛି ପରୀକ୍ଷା ଦେଉଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ସେ ଦୃଷ୍ଟି ବାଧିତ ହୋଇଥିଲେ ମଧ୍ୟ ଚଷମାର ବ୍ୟବହାର କରୁ ନାହନ୍ତି । ଏହି କଥାକୁ ନେଇ ଏବେ ସୋସିଆଲ ମିଡିଆ ବ୍ୟବହାରକାରୀ ଏବେ ଅଭିଯୋଗ ଆଣୁଛନ୍ତି । କିନ୍ତୁ ନିତିକା ଅପରପକ୍ଷେ ଏହା ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ୨୦୧୯ର କୌଣସି ପୁରୁଣା ଭିଡିଓର ଏକ ଅଂଶ ଯାହାର ଏବେ ଭୁଲ ବ୍ୟବହାର ହେଉଛି କହି ସଫେଇ ଦେଇଛନ୍ତି ।
ସେ କହିଛନ୍ତି ଏହି ଭିଡିଓ ସେ ଆରଟିଓ କାର୍ଯ୍ୟାଳୟର ନିରୀକ୍ଷଣ କରିବା ସମୟର ଥିଲା ଯାହାକି ଏବେ ମଧ୍ୟ ଡ୍ରାଇଭିଂ ଟେଷ୍ଟ ଭିଡିଓ ନାମରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ରହିଛି । ସେ କହିଛନ୍ତି କଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଏପରି କେସ ହେବାର ମାନେ ନୁହେଁ କି ବର୍ତ୍ତମାନ ସମସ୍ତ ଦିବ୍ୟାଙ୍ଗ ଅଧିକାରୀ ମାନଙ୍କ ବିଷୟରେ ଖୋଳତାଡ ଆରମ୍ଭ ହେବା ଜରୁରୀ ରହିଛି । ନିତିକା ଯେଉଁ ଆଖି ରୋଗରେ ପିଡିତ ସେଥିରେ ସମୟ କ୍ରମେ ଦୃଷ୍ଟି ଶକ୍ତି ସଂମ୍ପୁର୍ଣ୍ଣ ଭାବେ ଚାଲିଯିବାର ଆଶଂକା ରହିଛି । ଭୟଙ୍କର ହେଲେ ବି ବିରଳ । ୪୦ ହଜାର ଲୋକଙ୍କ ଭିତରେ ଜଣେ ଏଥିରେ ପିଡିତ ହୋଇଥାନ୍ତି ।
ଜଣେ ପ୍ରାର୍ଥୀ ଦୃଷ୍ଟି ବାଧିତ କି ନାହିଁ ଏ ନେଇ ବୋର୍ଡ ଯାଞ୍ଚ କରି ପ୍ରମାଣ ପତ୍ର ଦେଇଥାଏ । କେତେ ପ୍ରତିଶତ ଦେଖା ଯାଉଛି ଏବଂ କେତେ ପ୍ରତିଶତ ଦେଖାଯାଉନାହିଁ ନାହିଁ ଓ ଚଷମାର ବ୍ୟବହାର କେତେବେଳେ କରାଯିବ ଏ ନେଇ ଲୋକ ଅଯଥା ଚର୍ଚ୍ଚା କରିବା ଅନୁଚିତ ବୋଲି ନିତିକା ଏକ ଗଣମାଧ୍ୟମକୁ ଆଗରୁ ଜଣାଇଛନ୍ତି । ଏହି ଘଟଣାକୁ ନେଇ ନିତିକାଙ୍କୁ ସମ୍ପର୍କ କରିାବାକୁ ଚେଷ୍ଟା କରାଯାଇଥିଲା ହେଲେ ସେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।