ସଡ଼କ ଦୁର୍ଘଟଣାରେ ଅଚାନକ ସ୍ବାମୀଙ୍କୁ ହରାଇଲେ। ପରିବାରର ସାହା ହେବାକୁ ଆଉ କେହି ନ ଥିଲେ। ଶେଷରେ ଅଟୋ ଚଳାଇ ପୁଅ-ଝିଅଙ୍କ ପେଟକୁ ଦି’ଓଳି-ଦି’ମୁଠା ଦାନା ଦେବାକୁ ନିଷ୍ପତ୍ତି ନେଲେ। ବ୍ୟବସାୟ ଉଦ୍ଦେଶ୍ୟରେ ସ୍ବାମୀ କିଣିଥିବା ଅଟୋଟିକୁ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ମହିଳାଜଣକ ହେଉଛନ୍ତି ଆଠଗଡ଼ ବାଣୀକଣ୍ଠନଗରର ଜ୍ୟୋତିର୍ମୟୀ ଦଳାଇ।
ବାଣୀକଣ୍ଠନଗରର ଅବସରପ୍ରାପ୍ତ ବିଦ୍ୟୁତ୍ ବିଭାଗ କର୍ମଚାରୀ ଭରତଚନ୍ଦ୍ର ଦଳାଇଙ୍କ ଦୁଇଝିଅଙ୍କ ମଧ୍ୟରୁ ସାନ ହେଉଛନ୍ତି ଜ୍ୟୋତିର୍ମୟୀ। ସେ ଆଠଗଡ଼ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ। ୨୦୦୮ ମସିହାରେ ବଡ଼ମ୍ବା ରଗଡ଼ିପଡ଼ାର ପଞ୍ଚୁ ଖଟୁଆଙ୍କ ପୁଅ ଦିଲ୍ଲୀପ ଖଟୁଆଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ଡିପ୍ଲୋମା ଇଂଜିନିୟର୍ ଦିଲ୍ଲୀପ ପୁନେର ଏକ କମ୍ପାନିରେ ଚାକିରି କରିଥିଲେ। ‘ଫନି’ ବାତ୍ୟା ପରେ ୨୦୧୯ ଜୁନ୍ ମାସରେ ଦିଲ୍ଲୀପ ଘରକୁ ଆସି ଆଉ କର୍ମକ୍ଷେତ୍ରକୁ ଯାଇ ନ ଥିଲେ।
ବ୍ୟବସାୟ ଉଦ୍ଦେଶ୍ୟରେ ସେ ଅଗଷ୍ଟ ମାସରେ ଏକ ଅଟୋ କିଣିଥିଲେ। ସ୍ବାମୀ ଦିଲ୍ଲୀପ ଓ ପୁଅଝିଅଙ୍କ ସହ ବେଶ୍ ହସଖୁସିରେ କଟୁଥିଲା ଜ୍ୟୋତିର୍ମୟୀଙ୍କ ସଂସାର। ହଠାତ୍ ନଭେମ୍ବର ମାସରେ ପରିବାର ଉପରେ ଦୁଃଖର କଳାବାଦଲ ଘୋଟି ଆସିଲା। ଡ୍ରାଇଭର୍ ନ ଥିବାରୁ ନିଜେ ଅଟୋ ଚଳାଇ କଟକ ଯାଇଥିବା ଦିଲ୍ଲୀପ ଘରକୁ ଫେରୁଥିଲା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ। ଏହାପରେ ଜ୍ୟୋତିର୍ମୟୀ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ। ପୂର୍ବରୁ ବାପା ଓ ଶ୍ବଶୁରଙ୍କ ମୃତ୍ୟୁ ଘଟି ସାରିଥିଲା। ସାହା ହେବାକୁ ଜ୍ୟୋତିର୍ମୟୀଙ୍କ କେହି ଭାଇ ମଧ୍ୟ ନ ଥିଲେ। ପୁଅଝିଅଙ୍କୁ କିଭଳି ମଣିଷ କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଥିଲେ ସେ। ଏତିକି ବେଳେ ଆଠଗଡ଼ ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତାଙ୍କ ସମେତ କିଛି ମହିଳା ଅଟୋ ଚଳାଇବା ପାଇଁ ତାଙ୍କୁ ଉତ୍ସାହିତ କଲେ।
ସେମାନଙ୍କ ପ୍ରେରଣାରେ ଗତ ୫ ମାସ ଧରି ଆଠଗଡ଼ ସହରର ଏକମାତ୍ର ମହିଳା ଅଟୋ ଚାଳକ ଭାବେ କାର୍ଯ୍ୟ କରୁଛନ୍ତି ସେ। ଅଟୋ ନେଇ ସେ ଷ୍ଟାଣ୍ଡକୁ ଯିବା ବଦଳରେ ଫୋନ୍ରେ ଯୋଗାଯୋଗ କରି କଟକ, ଢେଙ୍କାନାଳ, ଚୌଦ୍ବାର ସମେତ ଆଠଗଡ଼ ସହରର ବିଭିନ୍ନ ଅଞ୍ଚଳକୁ ଭଡ଼ା ନେଇ ଯାଉଛନ୍ତି। ଆଠଗଡ଼ ବାଣୀକଣ୍ଠନଗରସ୍ଥିତ ବାପଘରେ ରହୁଥିବା ଜ୍ୟୋତିର୍ମୟୀ ଏବେ ମାସକୁ ୩ରୁ ୪ ହଜାର ଟଙ୍କା ରୋଜଗାର କରୁଥିବା କହିଛନ୍ତି। ସ୍ଥାନୀୟ ଶିଶୁ ମନ୍ଦିରରେ ପୁଅକୁ ପ୍ରଥମ ଶ୍ରେଣୀରେ ଓ ଝିଅକୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ାଇବା ସହିତ ବିଧବା ମା’ଙ୍କ ଦେଖାଶୁଣା କରୁଥିବା ଜ୍ୟୋତିର୍ମୟୀ ଅସହାୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/athgarh-news-1-photo-30-01-2021-auto-driver_6-750x360.jpg)