ବର୍ଷା କଲା ବେହାଲ । କେନ୍ଦ୍ରାପଡାରେ ବିଭିନ୍ନ ଅଫିସରେ ପସିଲା ପାଣି, ମାଲକାନଗିରିରେ ଏଯାଏଁ କମିନି ବନ୍ୟା ସ୍ଥିତି । 

108

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଗତ ରାତିରୁ ଲାଗି ରହିଛି ପ୍ରବଳ ବର୍ଷା । ମୂଷଳଧାରାରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଜଳମୟ ହୋଇଛି । କେନ୍ଦ୍ରାପଡାରେ ଅଫିସ ଭିତରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଅଫିସ ସମ୍ମୁଖରେ ସୃଷ୍ଟି ହୋଇଛି ଜଳାଶୟର ଭ୍ରମ । ସେପଟେ ଖରସ୍ରୋତା ଓ କାଣୀ ନଦୀର ଜଳସ୍ତର ବଢ଼ି ରାସ୍ତା ଉପରେ ପାଣି ଚାଲିବା ଯୋଗୁଁ ଆଳି ବ୍ଲକର ୧୦ଟି ପଂଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଟ୍ରାକ୍ଟର ଉପରେ ଯାତାୟତ କରୁଛନ୍ତି ଅତି ଜରୁରୀ କାମରେ ଯାଉଥିବା ଲୋକେ । ଅନ୍ୟପଟେ ମାଲକାନଗିରିର ମୋଟୁ ଅଂଚଳରେ ବନ୍ୟା ଜଳ ହ୍ରାସ ପାଉଥିଲେ ମଧ୍ୟ କାଙ୍ଗୁରକୋଣ୍ଡାରେ ପୁଣି ଥରେ ପାଣି ବଢ଼ିବା ଆରମ୍ଭ କରିଛି ।

ଗୋଟିଏ ଦିନର ବର୍ଷାରେ ବେହାଲ କେନ୍ଦ୍ରାପଡା  ।  ସରକାରୀ ଅଫିସ ଭିତରେ ବି  ପଶି ଯାଇଛି ପାଣି । କେନ୍ଦ୍ରାପଡା ଜିଲ୍ଲା ତିନି ମୁହାଣୀରେ ଥିବା ଉଠା ଜଳସେଚନ ବିଭାଗ ଅଫିସ ଭିତରେ ଲହଡି ଭାଙ୍ଗୁଛି ଆଂଠୁଏ ଉଚ୍ଚର ବର୍ଷା ପାଣି । ପାଣି ଲାଗି କେତେକ କାଗଜ ପତ୍ର ଓଦା ହୋଇଯାଇଥିବାବେଳେ ଆଉ କିଛି କାଗଜ ପତ୍ର ଓ ଫାଇଲକୁ ଟେବୁଲ ଓ ଚେୟାର ଉପରକୁ ଉଠାଇ ଦେଇଛନ୍ତି କର୍ମଚାରୀ । ହେଲେ କର୍ମଚାରୀମାନେ  ପାଣି ଭିତରେ ବସି ରହିଛନ୍ତି ।

ଅଫିସ ସମ୍ମୁଖରେ ସୃଷ୍ଟି ହୋଇଛି ଜଳାଶୟର ଭ୍ରମ । ଅଫିସ ବାହାରେ ରାସ୍ତା ଉପରେ ଯେତିକି ପାଣି ଜମିଛି, ଭିତରେ ମଧ୍ୟ ସେତିକି ପାଣି ଜମି ରହିଛି । ଫଳରେ ଅଫିସ କାମ ବାଧାପ୍ରାପ୍ତ ହୋଇଛି । ତେବେ ଏହା କେବଳ ଏହି ବର୍ଷର ସମସ୍ୟା ନୁହେଁ । ପ୍ରତ୍ୟେକ ବର୍ଷ ଅଧିକ ବର୍ଷା ହେଲେ ଓ ଗୋବରୀ ନଦୀର ଜଳସ୍ତର ବଢ଼ିଲେ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ । ଅଫିସ ଗୋବରୀ ନଦୀ କୂଳରେ ଓ ଖାଲୁଆ ସ୍ଥାନରେ ରହିଥିବାରୁ ପାଣି ପଶିଯାଇଛି । ତେବେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଜିଲ୍ଲାପାଳ ।

ସେହିଭଳି ଆଳି ବ୍ଲକର ବିଭିନ୍ନ ରାସ୍ତା ଉପରେ ପ୍ରବାହିତ ହେଉଛି ଖରସ୍ରୋତା ଓ କାଣୀ ନଦୀର ବନ୍ୟା ଜଳ  । ମୁଖ୍ୟ ରାସ୍ତା ଉପରେ ଚାଲୁଛି ୪ ଫୁଟ ଉଚ୍ଚର ପାଣି । ଫଳରେ ୧୦ଟି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଅତି ଜରୁରୀ ସ୍ଥିତିରେ ଲୋକମାନେ ଟ୍ରାକ୍ଟର ଯୋଗେ ଅତି ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ଖରସ୍ରୋତା ଓ କାଣି ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବା ପରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।   ଅନ୍ୟପଟେ ଦିନକର ବିରତି ପରେ ପୁଣି ମାଲାକାନଗିରି ଜିଲ୍ଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ କାଙ୍ଗରୁକୋଡା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ମୋଟୁ ଅଂଚଳରେ ବନ୍ୟା ଜଳ ହ୍ରାସ ପାଇବାରେ ଲାଗିଛି ।