କନକ ବ୍ୟୁରୋ : କାଠ ପୋଲ ଭରସାରେ ୪ଟି ପଂଚାୟତ । ପୋଲ ତିଆରି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କର୍ଣ୍ଣପାତ କଲାନାହିଁ ପ୍ରଶାସନ । ସେଥିପାଇଁ ଯାତାୟତର ସୁବିଧା ପାଇଁ ମିଳିମିଶି କାଠ ପୋଲ ତିଆରି କରିଛନ୍ତି ଲୋକ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକରୁ ଆସିଛି ଏଭଳି ଦୃଶ୍ୟ । ବ୍ଲକ ଦେଇ ପ୍ରବାହିତ ହେଉଛି ଡୁବଡୁବି ନଦୀର ଶାଖା ହାଣ୍ଡିବସା ନାଳ । ୨୦ ବର୍ଷ ତଳେ ପ୍ରଶାସନ ପକ୍ଷରୁ ଆଲୁମେଦା ଏବଂ କଶାଫଳା ପଂଚାୟତର ସାର୍ଥାବିନ୍ଧା ନିକଟରେ ଥିବା ନାଳ ଉପରେ ଏକ ପକ୍କା ପୋଲ ନିର୍ମାଣ କରାଯାଇଥିଲା । ଏହି ପୋଲ ଦେଇ ସମସ୍ତ ଯାତ୍ରୀ ଯାତାୟତ କରନ୍ତି । ପୋଲ ଦୁର୍ବଳ ହୋଇଯିବାରୁ ନୂତନ ପୋଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘ ୫ ବର୍ଷ ଧରି ଦାବି କରିଆସୁଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଏନେଇ କୌଣସି କାର୍ଯ୍ୟକାରୀ ହୋଇପାରିଲା ନାହିଁ । କିଛି ଦିନ ତଳେ ପ୍ରବଳ ବର୍ଷା ଓ ଜୁଆର ଯୋଗୁଁ ପୋଲଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ଲୋକଙ୍କ ଯାତାୟତ ସଂପୂର୍ଣ୍ଣ ଠପ ହୋଇଯାଇଥିଲା । ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର କେହି ନଶୁଣିବାରୁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହି କାଠ ପୋଲଟି ନିର୍ମାଣ କରାଯାଇଛି ।