ଝିଅଟିଏ ହେଲେ ବି ଝୁଣ୍ଟୁନି…’ନାଉରୀ’ ସାଜି କାନ୍ଧରେ ନେଇଛି ପରିବାରର ବୋଝ…ଦାରିଦ୍ର୍ୟତାର ଦଉଡି କାଟି ସମାଜରେ ସମ୍ମାନର ସହ ବଞ୍ଚୁଛି ରିଙ୍କି

561

କନକ ବ୍ୟୁରୋ: ସାଧାରଣତଃ ଝିଅଟିଏ ଜନ୍ମ ହେଲେ ସେ ବାପାମାଆଙ୍କ ପାଇଁ ବୋଝ ବୋଲି ସମସ୍ତେ ଭାବିଥାନ୍ତି । ମାତ୍ର ଆଜିର ଦିନର ଝିଅମାନେ ଆଉ କାହା ପାଇଁ ବୋଝ ହୋଇ ନାହାନ୍ତି । କାହିଁକି ନା ଝିଅମାନେ ଏବେ କୌଣସି ବି କ୍ଷେତ୍ରରେ ପୁଅଙ୍କୁ ପଛରେ ନାହାନ୍ତି । ବିଲରେ ହଳ କରିବାଠାରୁ ଆରମ୍ଭ କରି ଆକାଶରେ ବିମାନ ଉଡାଇବା ପର୍ଯ୍ୟନ୍ତ ସବୁଠି ସେମାନଙ୍କ ସଫଳତା ସ୍ୱାକ୍ଷର । ଏମିତି ହିଁ ଜଣେ ଝିଅ ହେଉଛନ୍ତି ରିଙ୍କି । ଯିଏ କି ଖୁବ୍ କମ ବୟସରେ ଅକାତ କାତ ନଈରେ ଡଙ୍ଗା ଚଲାଇବା ସହ ପାଠ ପଢୁଛନ୍ତି ଆଉ ପରିବାର ମଧ୍ୟ ଚଳାଉଛନ୍ତି ।

ବାଙ୍କୀ ଚର୍ଚ୍ଚିକା ସାହିର ରିଙ୍କି ବେହେରା । ବୟସ ମାତ୍ର ୧୯ବର୍ଷ । ହେଲେ ଏହି ବୟସରୁ ରିଙ୍କି ଡଙ୍ଗା ଚଲାଇବାରେ ବେଶ୍ ଅଭିଜ୍ଞତା ହାସଲ କରିପାରିଛନ୍ତି । ଏପଟେ ଘରର ବଡ ଝିଅ ହିସାବରେ ପରିବାରର ବୋଝ ଆଉ ସେପଟେ ବାପାଙ୍କ ଅସୁସ୍ଥତା ତାଙ୍କୁ ଟାଣି ଆଣିଥିଲା ତାଙ୍କର ଏହି କୌଳିକ ବୃତିକୁ । ଫଳରେ ଦୀର୍ଘ ୮ ବର୍ଷ ଧରି ଏହି ଡଙ୍ଗା ଚଳାଇ ପରିବାର ପ୍ରତିପୋଷଣ କରିଆସୁଛନ୍ତି ରିଙ୍କି । ତେବେ ଯେଉଁ ହାତରେ ସେ ନାଆ ଧରି ଲୋକଙ୍କୁ ନଦୀ ପାର କରୁଛନ୍ତି ସେହି ହାତରେ ସେ ଖାତା କଲମ ବି ଧରନ୍ତି । ସବୁ ଅଭାବ ଅସୁବିଧା ସତ୍ୱେ ଏବେ ରିଙ୍କି ଯୁକ୍ତ ୩ ଶେଷବର୍ଷରେ ପାଠ ପଢୁଛନ୍ତି । ଆଉ ରିଙ୍କିଙ୍କର ଏହି କାର୍ଯ୍ୟଶୈଳୀକୁ ନେଇ ଅଂଚଳବାସୀ ବେଶ୍ ପ୍ରଶଂସା କରୁଥିବା ବେଳେ ଯୁବପିଢୀଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ।