କନକ ବ୍ୟୁରୋ : ଗଞ୍ଜାମ ପରେ କେନ୍ଦ୍ରାପଡା ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ରାଜନୀତିରେ ଯୋଗ ଦେବା ପରେ କେନ୍ଦ୍ରାପଡାକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାବେଳେ ସେ ସେଠାରେ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରାପଡା ତିନିମୁହାଣି ଛକରୁ ଶ୍ରୀ ବଳଦେବ ଜୀଉ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଯାଇ ବଡଠାକୁରଙ୍କୁ ଦର୍ଶନ କରିଛନ୍ତି । ଏଥିସହ ବଳଦେବ ଜୀଉଙ୍କ ପାଖରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉପସ୍ଥିତ ଲୋକଙ୍କୁ ସମ୍ବୋଦ୍ଧିତ କରିଛନ୍ତି ।
ପ୍ରଥମେ ପାଣ୍ଡିଆନ୍ ରାଜନଗରର କେରଡାଗଡକୁ ଯାଇଥିଲେ । ସେଠାରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଏକମାଣିଆ ସେତୁର ଶିଳାନ୍ୟାସ କରିଥିଲେ । ସେଠାରୁ ରାଜନଗର କେରଡାଗଡ ଜଗନ୍ନାଥ ମନ୍ଦିରକୁ ଆସି ଦର୍ଶନ କରିବା ସହ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିଥିଲେ । ତାପରେ କେନ୍ଦ୍ରାପଡା ଫେରିଥିଲେ । ଫେରିବା ବାଟରେ ଗୋପାଳପୁର, ମଦନପୁର, ପଟ୍ଟାମୁଣ୍ଡାଇ, ଗଗୁଆରେ ଲୋକମାନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ସମୟରେ ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ଗୋଟିଏ ପଟେ ପାଣ୍ଡିଆନ ଜିଲ୍ଳା ଗସ୍ତ ଜାରି ରଖିଥିବାବେଳେ ଆଉ ଗୋଟିଏ ପଟେ, ସମାଲୋଚନା କରିଛନ୍ତି ବିରୋଧୀ । ତେବେ ବିରୋଧୀଙ୍କ ସମାଲୋଚନାର ଜବାବ ରଖିଛି ବିଜେଡି । ଗଞ୍ଜାମ ଗସ୍ତରେ ଯାଇଥିବାବେଳେ ବିରୋଧୀଙ୍କୁ କଟାକ୍ଷ କରିଥିଲେ ଭି.କେ.ପାଣ୍ଡିଆନ । କିଛି ଲୋକଙ୍କୁ ରୂପାନ୍ତରଣ ଦେଖାଯାଉନି । ଶ୍ରୀମନ୍ଦିର, ତାରାତାରିଣୀ ଓ ସମଲେଶ୍ୱରୀ ମନ୍ଦିରର ଉଦାହରଣ ଦେଇ, ଆଖି ଖୋଲି ଦେଖିଲେ ବିକାଶର ଅସଲ ଚିତ୍ର ଦିଶିବ ବୋଲି କହିଥିଲେ । ପାଣ୍ଡିଆନଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି