ପାହାଡ ଚଢିଲେ ଡାକ୍ତର । ୪ ଘଣ୍ଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ସ୍ୱାସ୍ଥ୍ୟ ପରୀକ୍ଷା କଲେ, ଔଷଧ ବାଣ୍ଟିଲେ ।

76

କନକ ବ୍ୟୁରୋ : ପାହାଡ ଚଢିଲେ ଡାକ୍ତର । ୪ ଘଂଟା କାଳ ପାଦରେ ଚାଲି ଚାଲି ଆଦିବାସୀଙ୍କ ପାଖରେ ପହଂଚିଲେ ଡାକ୍ତରୀ ଦଳ । ମାଓଗଡ ଭାବେ ପରିଚିତ ଗାଁରେ ପହଂଚିଲେ, ଆଉ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବାଂଟିଲେ ମାଥିଲି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ପାହାଡ ଚଢିଥିବା ସ୍ୱାସ୍ଥ୍ୟ ଟିମ୍ ।

ପାହାଡି ଗାଁରେ ପହଂଚିଲା ଡାକ୍ତରୀ ଟିମ । ୪ ଘଂଟା ଧରି ପାଦରେ ଚାଲି ଚାଲି ମାଓଗଡରେ ପହଂଚିଥିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ୮ କିଲୋମିଟର ଘଂଚ ଜଙ୍ଗଲ ଓ ପାହାଡି ରାସ୍ତାକୁ ଅତିକ୍ରମ କରି ଅପଂହଚ ଇଲାକାରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ସ୍ୱାସ୍ଥ୍ୟ ଟିମ୍ ।
ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓଦୁର୍ଗ ଦଣ୍ଡିପଦର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଫେରିଛନ୍ତି ମାଥିଲିର ସ୍ୱତନ୍ତ୍ର ମେଡିକାଲ ଟିମ୍ । ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ପାହାଡି ଗାଁରେ ଅଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି ।

ଔଷଧ ଦେଇଛନ୍ତି । ଲୋକଙ୍କୁ ମ୍ୟାଲେରିଆ, ନିମୋନିଆ ଭଳି ବିଭିନ୍ନ ରୋଗ ସମ୍ପର୍କରେ ପଚାରି ବୁଝିବା ସହ ରକ୍ତ ପରୀକ୍ଷା କରିଛନ୍ତି । ଏବଂ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦେଇଛି ଡାକ୍ତରୀ ଟିମ୍ । ଏହି ଟିମ୍ରେ ଡାକ୍ତରଙ୍କ ସମେତ ସୁପରଭାଇଜର, ଆଶା ଏବଂ ଅଙ୍ଗନୱାଡି କର୍ମୀ ସାମିଲ ଅଛନ୍ତି ।

ଓଡିଶା–ଛତିଶଗଡର ମାଥିଲି ଅଂଚଳର ତୁଳସୀ ଓ ଦଣ୍ଡିପଦରର ମାଓଗଡ ଭାବେ ପରିଚିତ । ମାଓ ଭୟରେ ପାହାଡ ତଳକୁ ଆସନ୍ତି ନାହିଁ ଲାଲଗଡର ନରୀହ ଆଦିବାସୀ । ପାହାଡ ଉପରେ ହିଁ ଭଗବାନଙ୍କ ଭରସାରେ ଜୀବନ ଜିଅଁନ୍ତି । ତେବେ ସେମାନଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଉଦ୍ୟମ ଅରମ୍ଭ କରିଛି ମାଥିଲି ସ୍ୱାସ୍ଥ ଟିମ୍ ।