ଚାରି ଦିନ ପରେ ଶେଷରେ ମାଉସୀ ମାଆ ମନ୍ଦିରରେ ଆଗରେ ଲାଗିଲା ବ୍ରହ୍ମ ତାଳଧ୍ୱଜ ରଥ: ବାରମ୍ବାର ବାମ ମୋଡ ନେବାରୁ ରଥଟଣାରେ ହେଉଥିଲା ବିଳମ୍ୱ

410

କନକ ବ୍ୟୁରୋ: ଚାରିଦିନ ପରେ ମାଉସୀ ମା ମନ୍ଦିର ନିକଟରେ ଲାଗିଛି କେନ୍ଦ୍ରାପଡା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ବଜ ରଥ। ଶ୍ରୀ ଗୁଣ୍ଡିଚା ଦିନଠାରୁ ରଥ ମାଉସି ମା ମନ୍ଦିର ଅଭିମୁଖେ ବାହାରି ଥିଲେ ସୁଦ୍ଧା ରଥ ବାରମ୍ବାର ବାମ ମୋଡ ନେବାରୁ ଚକଡା ଲାଗିବାକୁ ହୋଇଥିଲା ବିଳମ୍ବ। ରଥ ଉପରେ ୪ ଦିନ କାଳ ମହା ପ୍ରଭୁଙ୍କର ସମସ୍ତ ନୀତିକାନ୍ତି କରାଯାଉଥିଲା। ଶେଷରେ ରେଲୱେ ବିଭାଗର କର୍ମଚାରୀ ମାନେ ପହଁଚି ହାଇଡ୍ରୋଲିକ ଜ୍ୟାକ୍ ମେସିନ୍ ସାହାଯ୍ୟରେ ରଥକୁ ବାରମ୍ବାର ସିଧା କରିବା ପରେ ରଥ ମାଉସି ମା ମନ୍ଦିର ପର୍ୟ୍ୟନ୍ତ ଆସିଥିଲା। ରଥ ବାରମ୍ବାର ବାମ ମୋଡ ନେବା ଘଟଣାରେ କଣ ବିଭ୍ରାଟ ରହିଲା ତାର ସମୀକ୍ଷା କରାଯିବା ସହିତ ବାହୁଡା କିପରି ସୁରୁଖୁରୁରେ ସମ୍ପନ୍ନ ହେବା ତାର ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲାପାଳ ସୁର୍ୟବଂଶୀ ମୟୁର ବିକାଶ। ରଥ ମାଉସି ମା ମନ୍ଦିର ପର୍ୟ୍ୟନ୍ତ ପହଁରାଇବା ପାଇଁ ପୋଲିସ ପ୍ରଶାସନ ସହିତ ଭକ୍ତମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ମାଉସି ମା ମନ୍ଦିର ନିକଟରେ ରଥ ପହଞ୍ଚିବାପରେ ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯିବ ବୋଲି ସୁଚନା ମିଳିଛି।