କନକ ବ୍ୟୁରୋ: ରାଜ୍ୟରେ ଆଗାମୀ ୫ ବର୍ଷ ପରେ କେହି ରହିବେନି ଭୂମିହୀନ ଓ ବାସହୀନ । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି ଯେ, ଭୂମିହୀନ ଓ ବାସହୀନମାନଙ୍କୁ ତିନୋଟି କାଟେଗୋରିରେ ବିଭକ୍ତ କରାଯାଇଛି । ଯେଉଁ ଅନୁସାରେ, ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ । ଏଥିସହ ସହରାଞ୍ଚଳରେ ବସ୍ତିବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି ସରକାର । ତୃତୀୟରେ ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଉଛି ।

ତେବେ ଠିକଠାକ ସର୍ଭେ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସ ହୀନ କେହିନଥିବେ । କଡାକଡି ନିର୍ଦ୍ଦେଶ ଦିଆଯାଇଛି, ସର୍ଭେ କାମ ଆରମ୍ଭ ହୋଇ ଗଲାଣି । ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି । ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । ୧୫ ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।