ଏଟିଏମରୁ ବାହାରୁନି ଟଙ୍କା କି ମିଳୁନି ମୁନ୍ଦେ ପାଣି । ଭୋକରେ ଡହଳବିକଳ ହୋଇ ସାଇକେଲରେ ଭୁବନେଶ୍ୱରରୁ ମୟୂରଭଞ୍ଜ ଯାତ୍ରା ।

2,115

କନକ ବ୍ୟୁରୋ : ଫୋନି ପାଇଁ ହାହାକାର । ଭୟଙ୍କର ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଛାରଖାର ହୋଇଯାଇଛି ରାଜଧାନୀ ଭୁବନେଶ୍ୱର । ପାଇବାକୁ ପାଣି ମୁନ୍ଦେ ମିଳୁନଥିବା ବେଳେ ଖାଇବାକୁ ମୁଠାଏ ଖାଦ୍ୟ ମଧ୍ୟ ପାଉନାହାନ୍ତି ଅନେକ ଲୋକେ । ଏଭଳି ସ୍ଥିତିରେ ଘରମୁହାଁ ହେଉଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ହେଲେ ଥରେ ଭାବନ୍ତୁ ଏଟିଏମରୁ ଟଙ୍କା ଉଠୁନାହିଁ । ଗାଡିଭଡା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ । ଏମିତିରେ କିପରି ଆପଣ ଘରକୁ ଯିବେ । ଠିକ୍ ଏହିଭଳି କିଛି ଅସୁବିଧାରେ ପଡି ସାଇକେଲରେ ରାଜଧାନୀରୁ ସୁଦୂର ମୟୂରଭଞ୍ଜକୁ ଯାତ୍ରା କରିଛନ୍ତି କୁନାରାମ ମୁର୍ମୁ । ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଯାତ୍ରା ।

ନାମ – କୁନାରାମ ମୁର୍ମୁ । ଘର – ଯଶିପୁର । ଭୁବନେଶ୍ୱରରେ ରହି ସେ ପାଠ ପଢନ୍ତି । ବାତ୍ୟା ଫୋନିର ପ୍ରଭାବରେ ଭୁବନେଶ୍ୱରରେ ରହି ଚଳିବା କଷ୍ଟ ହେବାରୁ ସେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଲେ । ହେଲେ ରାଜଧାନୀରେ ବିଜୁଳି ବ୍ରିଭାଟ ଯୋଗୁଁ କୌଣସି ବି ଏଟିଏମ୍ କାମ କରୁନଥାଏ । ଆଉ ଅନ୍ୟପଟେ କୁନାରାମଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ତେଣୁ ସେ ସାଇକେଲରେ ନିଜ ଗାଁ ଯଶିପୁରକୁ ଯିବା ପାଇଁ ମନସ୍ଥ କରିଲେ । ଆଉ ସକାଳ ୬ଟାରେ ସାଇକେଲ ନେଇ ଘର ଅଭିମୁଖେ ଯାତ୍ରା ଆରମ୍ଭ କଲେ ।

କିଛି ଦୂର ଗଲା ପରେ ବାଟରେ କୁନାରାମଙ୍କୁ ଜୋରରେ ଭୋକ ଲାଗିଲା । ହେଲେ କରିବେ କ’ଣ ? ପାଖରେ ଟଙ୍କାଟିଏ ବି ନାହିଁ । ବଡଚଣା ଷ୍ଟେସନ ପାଖରେ ଜଣେ ଦହିବାର ବିକୁଥିବା ଭାଇନାଙ୍କ ସହ କୁନାରାମଙ୍କ ସାକ୍ଷାତ ହେଲା । ଏବଂ ନିଜ ଅସୁବିଧା ସମ୍ପର୍କରେ ସେ ତାଙ୍କୁ ଜଣାଇଲେ । କୁନାରାମଙ୍କ କଥା ଶୁଣିବା ପରେ ଦହିବରା ବିକ୍ରି କରୁଥିବା ଭାଇଜଣଙ୍କ ତାଙ୍କୁ ଦହିବରା ଖାଇବାକୁ ଦେଲେ ଆଉ କୌଣସି ଟଙ୍କା ମାଗିଲେ ନାହିଁ । ଦହିବରା ଭାଇନା ପ୍ରମାଣ କରିଦେଲେ ଯେ, ଆଜି ବି ବଞ୍ଚିଛି ମଣିଷ ପଣିଆ ।

ଖାଇ ସାରିବା ପରେ ପୁଣି ସାଇକେଲ ଧରି ବାହାରି ପଡିଲେ ଗାଁ ଅଭିମୁଖେ । ଭୁବନେଶ୍ୱରରୁ କଟକ, କଟକରୁ ଚଣ୍ଡିଖୋଲ, ଚଣ୍ଡିଖୋଲରୁ ଠାକୁରମୁଣ୍ଡା, ଠାକୁରମୁଣ୍ଡାରୁ କରଞ୍ଜିଆ, କରଞ୍ଜିଆରୁ ଯଶିପୁର । କିଛି ଏହିଭଳି ରାସ୍ତା ଥିଲା କୁନାରାମଙ୍କର । କିନ୍ତୁ ରାତି ବିଳମ୍ବ ହୋଇଯାଇଥିବାରୁ ଏବଂ ସାଇକେଲ ଚଳାଇ କ୍ଲାନ୍ତ ହୋଇପଡିଥିବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ସେ ରାତିରେ ଆଶ୍ରୟ ନେଇଥିଲେ । ଏବଂ ସକାଳୁ ସକାଳୁ ପୁଣି ଥରେ ଘର ଅଭିମୁଖେ ସାଇକେଲରେ ବାହାରିଥିଲେ । ଆଉ ଏମିତି କିଛି ଅସୁବିଧା ଭିତରେ ଶେଷରେ ଘରେ ପହଞ୍ଚିଛନ୍ତି କୁନାରାମ ।