‘ଫୋନି’ ପାଇଁ ପୁରୀ ସମେତ ଟ୍ୱିନସିଟିରେ ମୋବାଇଲ ସେବା ଠପ୍ । ଯୋଗାଯୋଗ ବିଚ୍ଛିନ୍ନ, ମୋବାଇଲ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତତ୍ପରତା ।

294

କନକ ବ୍ୟୁରୋ: ‘ଫୋନି’ ପାଇଁ ଫୋନ୍ ସେବା ବାଧାପ୍ରାପ୍ତ । ଗତ ୩ ତାରିଖରେ ‘ଫୋନି’ ପୁରୀରେ ସ୍ଥଳଭାଗ ଛୁଇଁବା ପରଠାରୁ ହଜାର ହାଜର ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି । ଏପରିକି ବିଭିନ୍ନ ମୋବାଇଲ୍ ଟାୱାରର ସିଗନାଲ୍ ସେଟ୍ ଭାଙ୍ଗି ପଡ଼ିଥିବାରୁ ନେଟୱାର୍କ ଫେଲ୍ ହୋଇଯାଇଛି । ଫଳରେ ଦୂରଦୁରାନ୍ତରରେ ଥିବା ସମ୍ପର୍କୀୟ ମାନଙ୍କ ସହିତ ଟିକେ ଯୋଗାଯୋଗ କରିବାରେ ନାନାଦି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ପୁରୀ ସହ ଭୁବନେଶ୍ୱର-କଟକ ଟ୍ୱିନସିଟିବାସୀ ।

ଅନ୍ୟପଟେ ବାତ୍ୟା ପରେ ବହୁ ସ୍ଥାନରେ ଭାରତୀୟ ଦୂର ସଂଚାର ନିଗମ ବିଏସଏନଏଲ ନେଟୱାର୍କ କାର୍ଯ୍ୟକ୍ଷମ କରୁଥିଲେ ମଧ୍ୟ ସେଥିରେ କିଛି ବୈଷୟିକ ତ୍ରୁଟି ଯୋଗୁଁ ମୋବାଇଲ ସେବା ଠପ୍ ପଡ଼ିଛି । ଫଳରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ବର୍ତ୍ତମାନ ପୁରୀ, ଭୁବନେଶ୍ୱର ଓ କଟକ ଭଳି ସହରରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣଭାବେ ଅଚଳ ପଡ଼ିଛି । ଯାହାଫଳରେ ବାତ୍ୟା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ଖୋଲାଥିଲେ ମଧ୍ୟ ଇଣ୍ଟରନେଟ୍ ସେବାରେ ବାଧାପ୍ରାପ୍ତ ହୋଇଛି ।

ସେପଟେ ପୁରୀ ଓ ଭୁବନେଶ୍ୱରରେ ହାତଗଣତି କିଛି ମୋବାଇଲ୍ ଟାୱାରକୁ ବାଦ୍ ଦେଲେ ଅଧିକାଂଶ ଭାଙ୍ଗିଯାଇଛି । ତେଣୁ ଟାୱାରଗୁଡ଼ିକୁ ମରାମତି କରି ମୋବାଇଲ୍ ସେବା ଯୋଗାଇବା ଏବେ ବିଏସଏନଏଲ ସମେତ ସବୁ ଘରୋଇ ଟେଲିକମ୍ ନେଟୱାର୍କ କମ୍ପାନି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ । ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି, ମୋବାଇଲ୍ ସେବା ତୁରନ୍ତ ଆରମ୍ଭ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଘରୋଇ କମ୍ପାନି ଓ ବିଏସଏନଏଲର ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଛି।