‘ଫୋନି’ ପ୍ରପୀଡ଼ିତଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ । ଓଡ଼ିଶାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍, ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ସ୍ଥିତି ପରଖୁଛନ୍ତି ।

58

କନକ ବ୍ୟୁରୋ: ବାତ୍ୟା ପରବର୍ତୀ ଅବସ୍ଥାରେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡିଶା ଗସ୍ତରେ ଆସିଛନ୍ତି  କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ । କେନ୍ଦ୍ରରୁ ୧୨ ଜଣିଆ ବିଶେଷଜ୍ଞ ଦଳ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣିଆ ଟିମ୍ ବାତ୍ୟା ପ୍ରଭାବିତ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ପରିଦର୍ଶନ କରୁଛନ୍ତି । ବାତ୍ୟା ପରେ ସାଧାରଣତଃ ବିଭିନ୍ନ ପ୍ରକାରର ମହାମାରୀର ଆଶଙ୍କା ଥାଏ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଏବେ କେନ୍ଦ୍ରୀୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ମଧ୍ୟ ଏହାର ଅନୁଧ୍ୟାନ କରୁଛନ୍ତି ।

କୌଣସି ସ୍ଥାନରେ ମହାମାରୀର ପୂର୍ବାଭାସ ପାଇବାମାତ୍ରେ ସେମାନେ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଅବଗତ କରିବେ । ଏ ନେଇ ସେମାନେ ସମ୍ବେଦନଶୀଳ ଅଂଚଳରେ ପିଇବାପାଣି ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ନମୂନା ସଂଗ୍ରହ ସହିତ ତାହାର ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ଉଲ୍ଲେଖନୀୟ ଯେ ଗତ ତିନି ତାରିଖରେ ଆସିଥିବା ବାତ୍ୟା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ବିଦ୍ୟୁତ୍ ଓ ଜଳଯୋଗାଣ ପାଇଁ ପଦକ୍ଷେ ନିଆଯାଇଥିଲା ।

ପ୍ରଭାବିତ ଅଂଚଳର ସ୍ୱାସ୍ଥ୍ୟ ସେବା ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଆଜି କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ବର୍ତମାନ ସୁଦ୍ଧା ପ୍ରାୟ ପ୍ରଭାବିତ ଜିଲ୍ଲାର ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଆଲୋକ ଓ ଜଳଯୋଗାଣ ବ୍ୟବସ୍ଥା କରାଯାଇ ପାରିଛି । ଏଥି ସହିତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସାଧାରଣ ଅବସ୍ଥା ଫେରାଇ ଅଣାଯାଇ ପାରିଛି । ବାତ୍ୟାରେ ପୁରୀ ଜିଲ୍ଲାର କ୍ଷତିଗ୍ରସ୍ତ ୧୬ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଆଜି ସୁଦ୍ଧା ୧୨ଟିରେ ଶତ ପ୍ରତିଶତ ସୁବିଧା ଉପଲବ୍ଧ କରାଯାଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ସ୍ୱାଭାବିକ କରାଯାଇଛି ।

ସେହିଭଳି ଖୋର୍ଦ୍ଧାରେ ୧୨ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୯ଟିକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଅଣାଯାଇଥିବାବେଳେ କଟକ, ଜଗତତ୍ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସ୍ଥିତି ସ୍ୱାଭାବିକ ହୋଇଛି । ଏହିସବୁ ସ୍ଥାନରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ମହଜୁଦ ଥିବାବେଳେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । କୌଣସି ସ୍ଥାନରେ ବାତ୍ୟା ପରବର୍ତୀ ମହାମାରୀକୁ ରୋକିବା ଲାଗି ଗାଁ କଲ୍ୟାଣ ସମିତି ଜରିଆରେ ୫୯୪୧ଟି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ୩୬୩୦୯ ମୁକ୍ତ ଜଳାଶୟ ଗୁଡିକୁ ବିଶୋଧନ କରାଯାଇଛି । ସମନ୍ୱିତ ରୋଗ ସର୍ବେକ୍ଷଣ ବ୍ୟବସ୍ଥାକୁ ଚଳ ଚଂଚଳ କରାଯାଇ ଦୈନନ୍ଦିନ ରିପୋର୍ଟ ସଂଗ୍ରହ ଉପରେ ଗୁରୁତ୍ୱଆରୋପ କରାଯାଇଛି ।