କନକ ବ୍ୟୁରୋ : ଆମ୍ବୁଲାନ୍ସ ଦେଇ ପୁଣି ନେଇଗଲେ ମନ୍ତ୍ରୀ । ପୁରୁଣା ଆମ୍ବୁଲାନ୍ସର କଲେ ଉଦଘାଟନ୍ । ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି । ବିହାରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଆଉ ଏଭଳି ସମୟରେ ଆମ୍ବୁଲାନ୍ସ ଚାଳକ କେମିତି ଅଧିକ ଟଙ୍କା ଦାବି କରୁଛନ୍ତି ସେଭଳି ଘଟଣା ମଧ୍ୟ ଆମେ ଆପଣଙ୍କ ସାମ୍ନାକୁ ଆଣିଥିଲୁ । କିନ୍ତୁ ବିହାରରୁ ଯେଉଁ ଚିତ୍ର ଆସିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପୁରୁଣା ଆମ୍ବୁଲାନ୍ସକୁ ନୂଆ କହି ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ଅନୁରୋଧ କ୍ରମେ ଏସଜିବିଏନ୍ କମ୍ପାନୀ ଦ୍ୱାରା ସିଏସଆର ଫଣ୍ଡରୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ୬ଟି ଆମ୍ବୁଲାନ୍ସ ଦିଆଯାଇଥିଲା । କିନ୍ତୁ ନିର୍ବାଚନ ଜିତିବା ପରେ ୬ଟି ଯାକ ଆମ୍ବୁଲାନ୍ସକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତିରୁ ଆଣି ଏଚଏଲଏଲ କମ୍ପାନୀକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଆମ୍ବୁଲାନ୍ସକୁ ସ୍ୱାସ୍ଥ୍ୟ ସମିତିରୁ ନିଆଯାଇପାରିନଥିଲା । ଏବଂ ପାଖାପାଖି ୧ ବର୍ଷରୁ ଅଧିକ ସମୟ ଧରି ଆମ୍ବୁଲାନ୍ସ ଗୁଡିକ ସଦର ହସ୍ପିଟାଲ କ୍ୟାମ୍ପସରେ ପଡି ପଡି ଖତ ଖାଉଥିଲା ।
କିନ୍ତୁ ୨୦୨୧ ଏପ୍ରିଲ ୮ ତାରିଖରେ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ନିର୍ଦ୍ଦେଶ ଜାରି କରି ୬ଟି ଆମ୍ବୁଲାନ୍ସରୁ ୫ଟି ଆମ୍ବୁଲାନ୍ସକୁ ଧନୁଷ ଫାଉଣ୍ଡେସନକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଯାହା ପରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଅଧିକାରୀ ୫ଟି ଆମ୍ବୁଲାନ୍ସକୁ ହାଇଦ୍ରାବାଦର ଏନଜିଓ ଧନୁଷ ଫାଉଣ୍ଡେସନକୁ ଦେଇଦେଇଛନ୍ତି ।
ତେବେ ଏହି ଖବର ବିରୋଧୀ ନେତାଙ୍କ କାନରେ ପଡିବା ପରେ ଆରମ୍ଭ ହୋଇଯାଇଥିଲା ବିବାଦ । ଆଉ ୪୮ ଘଣ୍ଟା ଭିତରେ ଯଦି ଆମ୍ବୁଲାନ୍ସ ଗୁଡିକୁ ଫେରାଇ ନଅଣାଯାଏ ତେବେ ଅନିଶ୍ଚିତ କାଳ ପାଇଁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ ବିରୋଧୀ ନେତା ।
ତେବେ ବିରୋଧୀ ନେତାଙ୍କ ଚେତାବନୀ ପରେ ଆମ୍ବୁଲାନ୍ସ ତ ଫେରିଆସିଲା, କିନ୍ତୁ ନୂଆ ଷ୍ଟିକର ସହ । ଆଉ ଭର୍ଚୁଆଲ ମାଧ୍ୟମରେ ମନ୍ତ୍ରୀ ନିଜେ ଏହାର ଉଦଘାଟନ ବି କଲେ । ଆଉ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ବିରୋଧୀ କଡା ସମାଲୋଚନା କରିଛନ୍ତି । ଜେତସ୍ୱୀ ଯାଦବ କହିଛନ୍ତି, ମନ୍ତ୍ରୀ ଗୋଟିଏ ଆମ୍ବୁଲାନ୍ସକୁ ୪ଥର ଉଦଘାଟନ କଲେଣି । କିନ୍ତୁ ଥରେ ହେଲେ ବି ଆମ୍ବୁଲାନ୍ସ ଗଡିପାରୁନି । ନିଜ ଅଞ୍ଚଳ ଲୋକଙ୍କୁ ଯଦି ମନ୍ତ୍ରୀ ଠକୁଛନ୍ତି ତେବେ ଦେଶବାସୀଙ୍କ ସହ କଣ କରୁଥିବେ ଆପଣ ଥରେ ଚିନ୍ତା କରନ୍ତୁ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।