କନକ ବ୍ୟୁରୋ: କୌଣସି ବିବାହ ବିଚ୍ଛେଦ ମାମଲା ଆପଣ ଦେଖିଥିବେ । ଆଉ ଏଥିପାଇଁ ସ୍ୱାମୀ ସ୍ତ୍ରୀକୁ ଭରଣପୋଷଣ ଅର୍ଥ ଦେଉଥିବା କଥା ବି ଜାଣିଥିବେ । କିନ୍ତୁ ନିକଟରେ ଔରଙ୍ଗାବାଦ ହାଇକୋର୍ଟ ଏପରି ଏକ ରାୟ ଶୁଣାଇଛନ୍ତି ଯାହା ପୁରା ଓଲଟା । ଏଠି ସ୍ୱାମୀକୁ ନୁହେଁ ବରଂ ସ୍ତ୍ରୀକୁ ଦେବାକୁ ପଡିବ ଭରଣପୋଷଣ ଖର୍ଚ୍ଚ । ମହାରାଷ୍ଟ୍ରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ମାସିକ ଭରଣପୋଷଣ ଖର୍ଚ୍ଚ ଦେବାକୁ ବାଧ୍ୟ । ମହାରାଷ୍ଟ୍ରର ନନ୍ଦେଡରେ ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ଥାନୀୟ କୋର୍ଟ ଉକ୍ତ ମହିଳାଙ୍କୁ ତାଙ୍କ ପୂର୍ବ ସ୍ୱାମୀଙ୍କୁ ଭରଣପୋଷଣ ପାଇଁ ମାସକୁ ୩୦୦୦ ଟଙ୍କା ଦେବେ ବୋଲି କହିଛନ୍ତି । କୋର୍ଟଙ୍କ ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ପୂର୍ଣ୍ଣ ସମର୍ଥନ କରିଛନ୍ତି ।
Advertisment
ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ଏମିତି କ’ଣ ହେଲା ଯେ ଏଠି ସ୍ୱାମୀକୁ କ୍ଷତିପୂରଣ ତଥା ଭରଣପୋଷଣ ଦେବେ ସ୍ତ୍ରୀ । ଘଟଣା ହେଉଛି ଦୁହେଁ ୧୯୯୨ ମସିହା ୧୭ ଏପ୍ରିଲ ରେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ପତ୍ନୀ ଅଦାଲତକୁ ସ୍ୱାମୀ ତାଙ୍କ ପ୍ରତି ନିର୍ଦ୍ଦୟ ହେଉଛନ୍ତି ବୋଲି ଅଭିଯୋଗ ଆଣି ଛାଡପତ୍ର ପାଇଁ ଅପିଲ କଲେ । ଯାହାକୁ ୨୦୧୫ ମସିହାରେ ସ୍ଥାନୀୟ କୋର୍ଟ ଅନୁମତି ଦେଇଥିଲେ । ଛାଡପତ୍ର ପରେ ସ୍ୱାମୀ ନାନ୍ଦେଡର ନିମ୍ନ ଅଦାଲତରେ ଏକ ପିଟିସନ୍ ଦାଖଲ କରି କହିଥିଲେ ଯେ, ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ । ହେଲେ ପତ୍ନୀଙ୍କର ଚାକିରୀ ଅଛି । ଯାହାକୁ ଦୃଷ୍ଟିରେ ରଖି ସେ ପତ୍ନୀଙ୍କ ଠାରୁ ମାସିକ ୧୫,୦୦୦ ଟଙ୍କା ସ୍ଥାୟୀ ଭରରଣପୋଷଣ ଦାବି କରିଥିଲେ । ସ୍ୱାମୀଙ୍କ ଯୁକ୍ତି ଥିଲା ଯେ ତାଙ୍କର ଚାକିରୀ ନଥିବାବେଳେ ତାଙ୍କ କିନ୍ତୁ ପତ୍ନୀ ଶିକ୍ଷିତା ।
 ସ୍ୱାମୀ ଏହି ପିଟିସନ ଦାଖଲ କରିବା ବେଳେ ତାଙ୍କ ପିତ୍ନୀଙ୍କ ପାଇଁ ତାଙ୍କର ବହୁତ ଅବଦାନ ଥିବା ଦାବି କରିଛନ୍ତି । ସେ କହିଛନ୍ତିଯେ, ‘ତାଙ୍କ ପତ୍ନୀଙ୍କୁ ଶିକ୍ଷିତ କରିବାକୁ ଅନେକ କଷ୍ଟ ବରଣ କରିଛନ୍ତି । ବିବାହ କରିବା ପରେ ତାଙ୍କୁ ଅଧିକ ପାଠ ପଢାଇବା ସହ ତାଙ୍କୁ ଚାକିରି କରାଇବା ଯାଏଁ ଅନେକ କଷ୍ଟ ସହିଛନ୍ତି । ଏପରିକି ନିଜ ଇଚ୍ଛାକୁ ମାରି ତାଙ୍କୁ ରୋଜଗାରକ୍ଷମ କରିଛନ୍ତି । ଘରର ବିଭିନ୍ନ କାର୍ଯ୍ୟ ମଧ୍ୟ ସେ ନିଜେ କରିଥାନ୍ତି । ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ରହିଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନାହିଁ । ତାଙ୍କ ପତ୍ନୀ ମାସକୁ ୩୦ ହଜାର ରୋଜଗାର କରନ୍ତି । ତେଣୁ ଦୟାକରି ତାଙ୍କୁ ପତ୍ନୀଙ୍କ ଠାରୁ ଭରଣପୋଷଣ ଦିଆଯାଉ’ ।
ସ୍ୱାମୀଙ୍କ ଏପରି ପିଟିସନକୁ ଚ୍ୟାଲେଂଜ କରିଥିଲେ ସ୍ତ୍ରୀ । ତାଙ୍କ ଉପରେ ଝିଅର ସବୁ ଦାୟିତ୍ୱ ରହିଛି  । ତେଣୁ ମାସିକ ଏତେ ଟଙ୍କା ଦେବାକୁ ସେ ଅସମର୍ଥ ବୋଲି ଦର୍ଶାଇଥିଲେ । ଏହାପରେ ପୁରା ଘଟଣାର ଛାନବିନ୍ ହୋଇଥିଲା । ଏଥିରୁ ମିଳିଥିବା ସତ୍ୟତାକୁ ଆଧାର କରି ସ୍ୱାମୀଙ୍କୁ ମାସିକ ୩୦୦୦ ଟଙ୍କା ଭରଣପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
 ଔରଙ୍ଗାବାଦ ହାଇକୋର୍ଟଙ୍କ ରାୟ ମୁତାବକ, ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା ୨୪ ଓ ୨୫ ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ ଯଦି କୌଣସି ଜଣଙ୍କର ଆର୍ଥିକ ସ୍ଥିତିି ଭଲ ନଥାଏ ତେବେ ଜଣେ ଅନ୍ୟକୁ ଭରଣପୋଷଣ ଦେବାକୁ ବାଧ୍ୟ । ଏହି ରାୟକୁ ବମ୍ବେ ହାଇକୋର୍ଟ ସମର୍ଥନ ଜଣାଇଛନ୍ତି ।