ପଦ୍ମ ପ୍ରେମରେ ପୂର୍ଣ୍ଣଚ୍ଛେଦ: ବିଜେପିରୁ ଇସ୍ତଫା ଦେଲେ ଦିଲ୍ଲୀପ ଓ ବିଜୟ, ଅମିତ ଶାହଙ୍କୁ ପଠାଇଲେ ମିଳିତ ଇସ୍ତଫାପତ୍ର

ଚର୍ଚ୍ଚା କୁଆଡେ ଲଢ଼ିବେ ଦୁଇ ତୁଙ୍ଗ ନେତା

135

କନକ ବ୍ୟୁରୋ: ବିଜେପି ଛାଡିଛନ୍ତି ବିଜୟ-ଦିଲ୍ଲୀପ । ବରିଷ୍ଠ ନେତା ବିଜୟ ମହାପାତ୍ର ଦଳର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ଛାଡିଥିବା କହିଛନ୍ତି । ଏନେଇ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସେହିପରି ବରିଷ୍ଠ ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ଉଭୟ ବିଧାୟକ ପଦ ଓ ଦଳୀୟ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏହା ସହ ଗୋଟି ଗୋଟି କରି ସମସ୍ତ କାରଣ ଉଲ୍ଲେଖ କରିଛନ୍ତି ଦୁଇ ନେତା ।

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ବିଜେପିକୁ ଲାଗିଛି ବଡ ଝଟକା । ଗୋଟିଏ ପଟେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀ ବିଜେପିରେ ମିଶିବା ପରେ ଦଳୀୟ ଶିବିରରେ ଉତ୍ସାହ ଖେଳିଯାଇଥିଲା, ହେଲେ ଏପଟେ ଦଳରୁ ଦୁଇଜଣ ତୁଙ୍ଗ ନେତାଙ୍କ ଇସ୍ତଫା ସେହି ଉତ୍ସାହରେ ଗ୍ରହଣ ଲଗାଇ ଦେଇଛି । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନିକଟକୁ ମିଳିତ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ଦୀର୍ଘଦିନ ହେଲା ଦୁଇନେତା ଦଳ ଭିତରେ ଅଣନିଶ୍ୱାସୀ ହୋଇପଡିଥିବାବେଳେ ନେଇଛନ୍ତି ଚରମ ନିଷ୍ପତି । ଇସ୍ତଫା ପତ୍ରରେ ସେମାନଙ୍କ ଦଳ ଛାଡିବା ପଛର କାରଣ ଗୋଟିଗୋଟି କରି ଦର୍ଶାଇଛନ୍ତି ଉଭୟ ବିଜୟ ଓ ଦିଲ୍ଲୀପ ।

ବିଜେପି ଛାଡିଲେ ବିଜୟ, ଦିଲ୍ଲୀପ

– ମହାନଦୀ ସମସ୍ୟାର ସମାଧାନ ହୋଇନାହିଁ

– ବ୍ରାହ୍ମଣୀ ଦ୍ୱିତୀୟ ସେତୁ କାମ ହେଲାନି

– ଆଇଓସିଏଲରେ ଓଡିଆ ଯୁବକଙ୍କୁ ନିଯୁକ୍ତି ନାହିଁ

– ନିର୍ବାଚନ ମଣ୍ଡଳୀରେ ଭୁଲ ଧାରଣା ସୃଷ୍ଟି କରାଗଲା

– ଦଳରେ ଆଉ ଅଦରକାରୀ ହେବାକୁ ଚାହୁଁନାହୁଁ

– ପଦପଦବୀ, କ୍ଷମତା ପାଇଁ ସାଲିସ କରିବୁନି

– ଦଳ ଅପେକ୍ଷା ରାଜ୍ୟ ସ୍ୱାର୍ଥ ଗୁରୁତ୍ୱପୂର୍ଣ୍ଣ

ଶୁକ୍ରବାର ପ୍ରଥମେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ ରାୟ । ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଏହାପରେ ଟ୍ୱିଟ କରି ବିଜେପିର ପ୍ରାଥମିକ ସଦସ୍ୟତା ପହଦୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଥିଲେ । ଇ-ମେଲ ଯୋଗେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ଦିଲ୍ଲୀପ ରାୟ । ଆଉ ଇସ୍ତଫା ପଛରେ ରହିଛି ସେହି ଦୁଇଟି କାରଣ ।

ବିଜେପି ଛାଡିଲେ ବିଜୟ, ଦିଲ୍ଲୀପ

– ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ

– ଆଇଜିଏଚ୍କୁ ସୁପର ସ୍ପେଶାଲିଟି ହସ୍ପିଟାଲ

ସେପଟେ ବିଜୟ ଓ ଦିଲ୍ଲୀପଙ୍କ ପଦକ୍ଷେପକୁ କଡା ସମାଲୋଚନା କରିଛି ବିଜେପି । ଦୁଇନେତା ବହୁ ପୂର୍ବରୁ ଦଳ ଛାଡିବା ନେଇ ନିଷ୍ପତି କରିସାରିଥିଲେ । ତେଣୁ ଏଥିରେ ଚିନ୍ତା କରିବାର ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉଭୟ ଦଳ ଛାଡିଥିବା କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ଘର କଥା ବାହାରେ କହୁଥିଲେ ଓ ବିଜୟ ମହାପାତ୍ର ଦଳ ଭିତରେ ଗୋଷ୍ଠୀ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ଦୀର୍ଘଦିନ ହେଲା ବିଜେପିରେ ଥାଇ ସୁଦ୍ଧା ଅଲୋଡା ହୋଇପଡିଥିଲେ ଉଭୟ ବିଜୟ ଓ ଦିଲ୍ଲୀପ । ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ । ଏପରିକି ବିଭିନ୍ନ ପ୍ରସଙ୍ଗରେ ଦଳୀୟ ମତାମତଠାରୁ ଭିନ୍ନ ମତ ପୋଷଣ କରୁଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଯାହାକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ଉଠୁଥିଲା । ହେଲେ ଉଭୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିବାରୁ କେନ୍ଦ୍ରୀୟ ନେତୃତ୍ୱ ଉପରେ ନିଷ୍ପତି ଛାଡିଦେଇ ଚୁପ ବସିଥିଲା ରାଜ୍ୟ ବିଜେପି । କିନ୍ତୁ ଏଭଳି କୌଣସି ଅପ୍ରିତିକର ପରିସ୍ଥିତି ପୂର୍ବରୁ ଦଳଠାରୁ ନିଜକୁ ଅଲଗା କରିନେଇଛନ୍ତି ବିଜୟ ଓ ଦିଲ୍ଲୀପ ।