ହିଂସା ପରେ ବଦଳିଲେ ଦିଲ୍ଲୀ ପୋଲିସ କମିଶନର । ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଦାୟିତ୍ୱ ନେବେ ଏସ୍.ଏନ୍ ଶ୍ରୀବାସ୍ତବ, ଦଙ୍ଗା ଅଂଚଳ ଗସ୍ତ କରି ଲୋକଙ୍କ ସହ କଲେ ଆଲୋଚନା ।

151

କନକ ବ୍ୟୁରୋ: ବଦଳିଲେ ଦିଲ୍ଲୀ ପେଲିସ କମିଶନର । ସିଏଏ ହିଂସା ଭିତରେ ଦିଲ୍ଲୀ ପୋଲିସ ପୋଲିସ କମିଶନରଙ୍କୁ ପରିବର୍ତନ କରାଯାଇଛି । ଦିଲ୍ଲୀ ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳାତକୁ ନେଇ ହାଇକୋର୍ଟଙ୍କ ତାଗିଦ ପରେ ଏହି ପରିବର୍ତନକୁ ଗୁରୁତର ସହ ବିଚାର କରାଯାଉଛି । ୨୯ ତାରିଖରେ ଅମୂଲ୍ୟ ପଟ୍ଟନାୟକ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଏସ୍.ଏନ୍ ଶ୍ରୀବାସ୍ତବ । ଦିଲ୍ଲୀ ହିଂସାକୁ ନଜରରେ ରଖି କିଛିଦିନ ପୂର୍ବରୁ ଏସ୍ଏନ ଶ୍ରୀବାସ୍ତବଙ୍କୁ ସ୍ୱତନ୍ତ୍ର କମିଶନର ଦାୟିତ୍ୱ ଦିଆଯାଇଥିଲା । ଏବେ ପୋଲିସ କମିଶନର ଦାୟିତ୍ୱ ନେବା ପରେ ଦିଲ୍ଲୀରେ ଶାନ୍ତି ପ୍ରତିଷ୍ଠା କରିବା ତାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଂଜ ହେବ ।

ଦିଲ୍ଲୀରେ ନାଗରିକତା ଆଇନକୁ ନେଇ ୪ଦିନ ଧରି ନିଆଁ ଜଳିଥିଲା । ଏବେ ପରିସ୍ଥିତିକୁ ଶାନ୍ତ କରିବା ସହ ଲୋକଙ୍କ ବିଶ୍ୱାସ ଜିତିବା ନୂଆ ପୋଲିସ କମିଶନରଙ୍କ ପାଇଁ ବଡ ଚ୍ୟାଲେଂଜ ହେବ । କ୍ରାଇମବ୍ରାଂଚ ଦିଲ୍ଲୀ ଦଙ୍ଗାର କାରଣ ଖୋଜୁଥିବାବେଳେ ପୋଲିସକୁ ପ୍ରମାଣ ଏକାଠି କରି ଯୋଗାଇ ଦେବାକୁ ପଡିବ । ସେପଟେ ସ୍ୱାଭାବିକ ହେଉଥିବା ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବାକୁ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ।

ଉପରାଜ୍ୟପାଳ ଅନୀଲ ବୈଜଲ ମୌଜପୁର ଅଂଚଳରେ ସମୀକ୍ଷ କରିଛନ୍ତି । ସ୍ଥାନୀୟ ଲୋକଙ୍କସହ ଆଲୋଚନା କରିଛନ୍ତି ଉପରାଜ୍ୟପାଳ । କଦମପୁରୀ ଓ କବିରନଗର ଅଂଚଳରେ ମସଜିଦ ଗୁଡିକୁ ଯାଇ ଲୋକଙ୍କ ସହ କଥାବାର୍ତା କରିଛନ୍ତି । ଦିଲ୍ଲୀ ଉତର-ପୂର୍ବ ଜିଲ୍ଲାର କେତେକ ସ୍ଥାନରେ ଏବେ ବି ୧୪୪ଧାରା ବଳବତର ରହିଛି । ସେପଟେ ସୁରକ୍ଷାରେ ୭ ହଜାରରୁ ଅଧିକ ଅର୍ଦ୍ଧ ସାମରିକ ବଳ ମୁତୟନ ହୋଇଛନ୍ତି । ଦିଲ୍ଲୀ ହିଂସା ମାମଲାରେ ଶେଷ ଖବର ସୁଦ୍ଧା ୪୮ଟି ମାମଲା ରୁଜୁ ହୋଇଛି । ୩୩୦ଟି ଶାନ୍ତି କମିଟି ବୈଠକ ହୋଇସାରିଛି । ଘଟଣାର ତଦନ୍ତ କରିବାକୁ ୨ଟି ଏସଆଇଟି ଟିମ୍ ଗଠନ ହୋଇଛି । ହିଂସାରୁ ଦୂରେଇ ରହିବାକୁ ଓ ଭାଇଚାରା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛି ପ୍ରଶାସନ ।