ରୋଗୀଙ୍କ ମୃତ୍ୟୁ ପରେ ଆସିଲା କରୋନା ପଜିଟିଭ୍ ରିପୋର୍ଟ । ଜ୍ୱରରେ ପୀଡିତ ହୋଇ ମେଡିକାଲରେ ହୋଇଥିଲେ ଚିକିତ୍ସିତ, ସଂଶ୍ପର୍ଶରେ ଆସିଥିଲେ ରୋଗୀ ଓ ଡାକ୍ତର । ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସଂପର୍କୀୟ ।

1,438

କନକ ବ୍ୟୁରୋ : ସଂକ୍ରମଣ ଭୟ ବଢାଇଲା ଶବସଂସ୍କାର । ଏଭଳି ଏକ ଚିନ୍ତାଜନକ ଘଟଣା ଘଟିଛି ଗଂଜାମ ଭଂଜନଗର ଅଂଚଳରେ । ଏହି ଅଂଚଳର ଜଣେ ବନ କର୍ମଚାରୀଙ୍କ ମୃତ୍ୟୁର ପରଦିନ ଆସିଛି କୋଭିଡ୍ ପଜିଟିଭ ରିପୋର୍ଟ । ହେଲେ ଏହା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏକାଧିକ ବ୍ୟକ୍ତି । ଯାହାକି ଏବେ ଚିନ୍ତାର ବିଷୟ ହୋଇଛି ।

ମୃତ୍ୟୁ ପରେ ଆସିଲା କରୋନା ରିପୋର୍ଟ । ସଂକ୍ରମଣ ଭୟ ବଢାଇଲା ଶବସଂସ୍କାର । ରୋଗ ନିୟନ୍ତ୍ରଣ ଓ ପରିଚାଳନାରେ ସାମାନ୍ୟ ଅବହେଳା କେତେ ବଡ଼ ସଂକଟ ଆଣିପାରେ, ତା’ର ଏକ ବଡ଼ ଉଦାହରଣ ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ଭଞ୍ଜନଗରରୁ । ମାହାନ୍ତି ସାହିର ବନକର୍ମଚାରୀ ବସନ୍ତ କୁମାର ମାହାନ୍ତିଙ୍କୁ ଗତ ୧୦ ତାରିଖରେ ଜ୍ୱର ହୋଇଥିଲା । ଔଷଧ ଆଣି ଖାଇବା ସତ୍ୱେ ସ୍ୱାସ୍ଥ୍ୟରେ ପରିବର୍ତନ ନଆସିବାରୁ ତାଙ୍କୁ ଭଞ୍ଜନଗର ହସ୍ପିଟାଲକୁ ନେଇଥିଲେ ତାଙ୍କ ପୁଅ । ଆଉ ୧୨ ତାରିଖରେ ଲକ୍ଷଣ ଥିବାରୁ କରୋନା ଟେଷ୍ଟ ପାଇଁ ସ୍ୱାବ୍ ପଠାଯାଇଥିଲା । ସେତେବେଳେ କୁହାଗଲା, ଯଦି ଆପଣଙ୍କ ପାଖକୁ ଫୋନ୍ କଲ ଆସିଲାନି ଧରିନେବେ ଯେ, ଆପଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ରିପୋର୍ଟ ସମ୍ପର୍କରେ ଯେତେବେଳେ କୌଣସି ଫୋନ୍ ଆସିଲା ନାହିଁ, ପରିବାର ଲୋକ ନିଶ୍ଚିତ ହୋଇଗଲେ ଯେ, ରିପୋର୍ଟ ନେଗେଟିଭ୍ ଆସିଛି । ଆଉ ବାପାଙ୍କୁ ବ୍ରହ୍ୱପୁର ବଡ଼ ମେଡ଼ିକାଲକୁ ନେଇଗଲେ । ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ବସନ୍ତଙ୍କୁ ଆଇସିୟୁରେ ଭର୍ତି କରାଗଲା । ହେଲେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ବସନ୍ତଙ୍କ ଦେହାନ୍ତ ହୋଇଗଲା । ପରିବାର ଲୋକ ଶବକୁ ନେଇ ଆସିିଲେ ଏବଂ ସମ୍ପର୍କିୟଙ୍କ ନେଇ ଅନ୍ତିମ ସଂସ୍କାର କଲେ । ଏହା ପରେ ଜଣାପଡ଼ିଲା, ମୃତ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍ ଥିଲା ।

ଏପଟେ ସ୍ଥାନୀୟ ପ୍ରଶାସନ ଘଟଣାରେ ନିଜ ଦୋଷ ଛଡ଼ାଇବା ସହ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା ଦେଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି,
-କରୋନା ରିପୋର୍ଟ ଦେବାରେ ବିଳମ୍ବ କରି ଲୋକଙ୍କ ଜୀବନ ସହ କାହିଁକି ଖେଳୁଛି ପ୍ରଶାସନ ?
-ମୃତ ବସନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କିଛି ହେଲେ କାହାକୁ ଦାୟୀ କରାଯିବ ?