କନକ ବ୍ୟୁରୋ : ପରାଜୟର ସ୍ୱାଦ ଚାଖିନଥିବା ବିଜେଡି ୨୪ ନିର୍ବାଚନରେ ମାଟିି କାମୁଡିଛି । ବିଜେଡିର ଆଗଧାଡିର ନେତା ବି ନିର୍ବାଚନରେ ଚିତପଟାଙ୍ଗ ମାରିଛନ୍ତି । ହେଲେ କାହିଁକି ଏ ବିପର୍ଯ୍ୟୟ ହେଲା, ଯାହାକୁ ନେଇ ତୃଣମୂଳସ୍ତରରୁ ଆରମ୍ଭ କରି ଉପରସ୍ତର ନେତା ସନ୍ଧିହାନ ଅଛନ୍ତ। ପରାଜୟର ପୋଷ୍ଟମର୍ଟମ ଭିତରେ ୱେଟ ଆଣ୍ଡ ୱାଚ ସ୍ଥିତିରେ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ କ’ଣ ରହିବ ବିଜେଡିର ଆଭିମୁଖ୍ୟ? ନବୀନଙ୍କ ସହ କିଏ ମୋର୍ଚ୍ଚା ସମ୍ଭାଳିବ? ଏହାକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ଖୁବଶୀଘ୍ର ବିଜେଡି ସାଂଗଠନିକ ସ୍ତରରେ ବଡ ପରିବର୍ତନ ହେବାକୁ ଯାଉଛି । କୁହାଯାଉଛି, ରଥଯାତ୍ରା ପରେ ଦଳୀୟ ସଂଗଠନରେ ବଡ଼ ପରବର୍ତନ ହେବାକୁ ଯାଉଛି । ରାଜ୍ୟ ସ୍ତରୀୟ ସଂଗଠନ, ଯୁବ, ଛାତ୍ର ଓ ମହିଳା ମୋର୍ଚ୍ଚାର ବ୍ୟାପକ ଅଦଳ ବଦଳ ହୋଇପାରେ

Advertisment

ଏହା ମଧ୍ୟ ଚର୍ଚ୍ଚା ହେଉଛି - ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ ଭଳି ନେତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ମିଳିପାରେ । ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ପରିବର୍ତନ ହେବାର ସମ୍ଭାବନା ରହିଛି । ଆଗକୁ ବିଧାନସଭାର ଅଧିବେଶନ ଥିବାରୁ କି ପ୍ରସଙ୍ଗ ବିଜେଡି ଉଠାଇବ ସେନେଇ ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି ।

ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତି ଛାଡିଥିବା ଘୋଷଣା କରିଥିବା ବେଳେ ପ୍ରଚ୍ଛଦପଟରେ ରହି ବିଜେଡି ପାଇଁ କାର୍ଯ୍ୟ କରିବେ କି ସଂପୂର୍ଣ୍ଣ ରାଜନୀତିରୁ ଦୂରେଇ ଯିବେ, ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ପରାଜୟର ପୋଷ୍ଟମର୍ଟମ କାହିଁକି ବିଳମ୍ବ ହେଉଛି ବୋଲି ନେତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବଢୁଛି ।