ବଦଳିବ ଶ୍ରୀକ୍ଷେତ୍ର ଚେହେରା: ବିକାଶର ମୂଳଦୂଆ ପକାଇଲେ ମୁଖ୍ୟମନ୍ତ୍ରୀ । ଶ୍ରୀଜିଉଙ୍କ ଦର୍ଶନ ପରେ କଲେ ସାତଟି ପ୍ରକଳ୍ପର ଶିଳାନ୍ୟାସ । କହିଲେ, ପୁରୀକୁ କରାଯିବ ସର୍ବାଙ୍ଗ ସୁନ୍ଦର

282

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ଏବଂ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ଆହ୍ୱାନ । ଏହି ଦୁଇଟି ପ୍ରମୁଖ ଲକ୍ଷ୍ୟ ନେଇ ଜଗନ୍ନାଥ ଧାମରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରେ ପହଂଚି ଅରୁଣସ୍ଥମ୍ଭ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଭିତର କାଠ ନିକଟରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଆଉ ପରେ ସବୁଜ ବଳୟର ଅନୁଧ୍ୟାନ କରିବା ସହ ହେରିଟେଜ୍ କରିଡ଼ରର ମ୍ୟାପ୍ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗକୁ ଶ୍ରୀକ୍ଷେତ୍ର ଆହୁରୀ ସୁନ୍ଦର ଦେଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଐତିହ୍ୟ ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି । ୫୧୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ୭ଟି ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ ପଟ୍ଟନାୟକ । ଶ୍ରୀ ସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟର ସୌନ୍ଦର୍ଯ୍ୟକରଣ, ଜେଲ ରୋଡରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେ୍ଲକ୍ସ ଭଳି ୭ଟି ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି ନବୀନ ।

ବଡ଼ କଥା ହେଉଛି ୨ବର୍ଷ ଭିତରେ ଏହି ସମସ୍ତ ପ୍ରକଳ୍ପର କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହା ପୁରୀକୁ ଐତିହ୍ୟର ସହର ଭାବେ ଗଢ଼ିତୋଳିବାରେ ବେଶ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

ପ୍ରତିବର୍ଷ ନୂଆବର୍ଷ ସମୟରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଆସୁଥିଲେ, କିନ୍ତୁ ଚଳିତବର୍ଷ ଭିଣୋଇଙ୍କ ଦେହାନ୍ତ କାରଣରୁ ସେ ନୂଆବର୍ଷରେ ପୁରୀ ଯାଇ ଠାକୁର ଦର୍ଶନ କରିପାରିନଥିଲେ । ତେବେ ଆଜି ଜଗନ୍ନାଥ ଦର୍ଶନ ସହ ପୁରୀର ଏକାଧିକ ବିକାଶ ପ୍ରକଳ୍ପକୁ ଆଗେଇ ନେଇଛନ୍ତି ।