ସ୍ମୃତି ୧୯୯୯ ବିଶ୍ୱକପ ସମୟର । ଯେବେ ନିଜ ବାପାଙ୍କୁ ହରାଇବା ପରେ ବି ଦେଶ ପାଇଁ କ୍ରିକେଟ୍ ଖେଳିଥିଲେ ସଚିନ । ମାରିଥିଲେ ଦମଦାର ଶତକ

250

କନକ ବ୍ୟୁରୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । କ୍ରିକେଟରେ ନିଜ ରେକର୍ଡ ଓ ନିଜ ଖେଳ ପ୍ରତି ସମର୍ପଣ ଯୋଗୁଁ ତାଙ୍କୁ ସମସ୍ତେ କ୍ରିକେଟର ଭଗବାନ ବୋଲି କହନ୍ତି । କ୍ରିକେଟକୁ ସେ ଖେଳଠୁ ବି ଅଧିକ ଗୁରୁତ୍ୱ ଦିଅନ୍ତି, ସେଥିପାଇଁ ତ ଆଜି ସେ ଏହି ଜାଗାରେ ଛିଡା ହୋଇଛନ୍ତି । ରେକର୍ଡର ପାହାଡ ଛିଡା କରିବାରେ ସେ ମାହିର । ଏବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବା ଆଜି ଆମେ କାହିଁକି ସଚିନଙ୍କ ପ୍ରଶଂସା କରୁଛୁ । କାରଣ ଆଜି ଭଳି ଦିନରେ ସଚିନ ଏଭଳି କାମ କରିଥିଲେ ଯାହାକୁ ଆଜି ବି ମନେ ରଖିଛି ସାରା ଦେଶ ।

କ୍ରିକେଟ ଖେଳ ଭିତରେ ସଚିନ ଉପରେ ଯେବେ ଖସି ପଡିଥିଲା ଦୁଃଖର ପାହାଡ । ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିବା ସଚିନ ବାପାଙ୍କ ଶେଷକୃତ୍ୟ ସାରି ପୁଣି ଟିମରେ ସାମିଲ ହୋଇଥିଲେ । ଆଉ ଏଣିତି ପାଳି ଖେଳିଥିଲେ ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଆସନ୍ତୁ ଆଜି ମନେପକାଇବା ସଚିନଙ୍କ ସେହି ସ୍ମରଣୀୟ ମ୍ୟାଚକୁ ।

ଇଂଲଣ୍ଡରେ ଚାଲିଥାଏ ୧୯୯୯ ମସିହା କ୍ରିକେଟ ବିଶ୍ୱକପ, ଏହି ଟୁର୍ଣ୍ଣାମେଣ୍ଟ ରେ ଜିତି ବିଶ୍ୱକପ ହାତେଇବା ଭାରତୀୟ ଦଳର ଏକମାତ୍ର ଲକ୍ଷ୍ୟ ଥିଲା । ହେଲେ ଭାରତ ତାର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରି ସାରିଥିଲା । ଦ୍ୱିତୀୟ ମ୍ୟାଚ ଜିମ୍ବାୱେ ସହ ଥାଏ । ମ୍ୟାଚ ପାଇଁ ପ୍ରସ୍ତୁତ ହେଉଥାଏ ଭାରତ । ହେଲେ ଏହାରି ଭିତରେ ଏମିତି ଏକ ଖବର ଆସିଲା ଯାହା ଶୁଣି ସଚିନଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଖବର ଥିଲା ସଚିନଙ୍କ ବାପା ରମେଶ ତେନ୍ଦୁଲକର ଆଉ ଏ ଦୁନିଆରେ ନାହାନ୍ତି ।

ଜିମ୍ବାୱେ ବିପକ୍ଷ ମ୍ୟାଚ ନ ଖେଳି ଭାରତ ଫେରିଯାଇଥିଲେ ସଚିନ । ଆଉ ସେଠାରେ ନିଜ ବାପାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । କିଛି ଦିନ ମାନସିକ ଚିନ୍ତାରେ ମଧ୍ୟ ରହିଥିଲେ ସଚିନ । ହେଲେ ତାଙ୍କ ମନ ମାନିନଥିଲା । ପରେ ସେ ପୁଣି ଇଂଲଣ୍ଡ ଚାଲିଯାଇଥିଲେ । ଆଉ ଟିମ ଇଣ୍ଡିଆରେ ସାମିଲ ହୋଇଥିଲେ ।

୨ଟି ମ୍ୟାଚ ହାରିବା ପରେ ତୃତୀୟ ମ୍ୟାଚ କେନିୟା ସହ ଥିଲା । ଆଉ ଏହି ମ୍ୟାଚରେ ଖେଳିବା ପାଇଁ ସଚିନ ନିଷ୍ପତ୍ତି ନେଇଥିଲେ । ଯେଉଁ ନିଷ୍ପତ୍ତି ତାଙ୍କୁ ମହାନ କରିଦେଇଥିଲା । ଡ୍ରିପେସନରେ ରହି ମଧ୍ୟ ସଚିନ ଦମଦାର ଖେଳ ଦେଖାଇଥିଲେ । ଏହି ମ୍ୟାଚରେ ସଚିନ ୧୦୧ ବଲ ଖେଳି ୧୪୦ ରନ କରି ଶତକ ହାସଲ କରିଥିଲେ । ଆଉ ଶତକ ହାସଲ ପରେ ବାପାଙ୍କୁ ମନେ ପକାଇ ଉପରକୁ ଚାହିଁ ଥିଲେ । ଯାହାକି ନିଜ ବାପାଙ୍କ ପ୍ରତି ସଚିନଙ୍କ ଥିଲା ଭଲ ପାଇବାକୁ ସେ ଦର୍ଶାଇଥିଲେ । ଆଉ ଏହି ଶତକକୁ ସେ ବାପାଙ୍କୁ ସମର୍ପଣ କରିଥିଲେ ।