କଟକକୁ କବଜା କଲାଣି ଟିଟୋ ଗ୍ୟାଙ୍ଗ୍ ! ଧଳସାମନ୍ତ ଭାଇର ସ୍ଥାନ ନେଉଛି କେନ୍ଦ୍ରାପଡ଼ାର କୁଖ୍ୟାତ ଅଣ୍ଡରୱାର୍ଲ୍ଡ

52

କନକ ବ୍ୟୁରୋ : ଡି-ବଦର୍ସଙ୍କ ପତନ ପରେ ଏବେ ଅପରାଧରେ କାୟା ବଢାଉଛି ଟିଟୋ ଗ୍ୟାଙ୍ଗ । କଟକ ଜଗତପୁର ଗୁଳିକାଣ୍ଡର ତଦନ୍ତ ବେଳେ ଏହି ସିଦ୍ଧାନ୍ତରେ ପହଁଚିଛି କମିସନରେଟ୍ ପୋଲିସ । ଟେଣ୍ଡର ଫିକ୍ସିଂ ଭଳି ବଡ଼ ବଡ଼ ଅପରାଧ ପଛରେ ରହିଛି ଟିଟୋ ଗ୍ୟାଙ୍ଗ୍ର ହାତ । ହେଲେ ଟିଟୋ କେଉଁଠି ରହି ତା’ର ପୂରା ଅପରେସନକୁ ଚଳାଉଛି, ଏ ନେଇ ଖବର ନାହିଁ ପୋଲିସ ପାଖରେ ।

କଟକ ଜଗତପୁର ଗୁଳିକାଣ୍ଡର ତଦନ୍ତ ବେଳେ କମିସନରେଟ୍ ପୋଲିସକୁ ମିଳିଛି ବଡ଼ ସୁରାଗ୍ । ଟେଣ୍ଡର ଫିକ୍ସିଂ ଭଳି ଅପରାଧ ଜଗତରେ ଧଳସାମନ୍ତ ଭାଇଙ୍କ ପ୍ରଭାବ ଖସୁଥିବା ବେଳେ ସକ୍ରୀୟ ହୋଇ ଉଠିଛି ଟିଟୋ ଗ୍ୟାଙ୍ଗ୍ । ମାର୍ଚ୍ଚ ୨୯ ତାରିଖରେ କଟକ ଜଗତପୁରରେ ଗୁଳିକାଣ୍ଡର ଶିକାର ହୋଇଥିଲା ତାହିର ଅଲ୍ଲୀ । ତାହିର ହେଉଛି ଆତଙ୍କୀ ଲିଙ୍କ ନେଇ ଗିରଫ ହୋଇଥିବା ଅବଦୁର ରହେମାନର ବଡ ଭାଇ । ଏହି ଘଟଣାରେ ୮ଜଣଙ୍କୁ ଗିରଫ କରିବା ପରେ ପୋଲିସକୁ ମିଳିଛି ଚାଂଚଲ୍ୟକର ତଥ୍ୟ । ପଚରାଉଚରା ପରେ ପୋଲିସ ଜାଣିବାକୁ ପାଇଛି ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଟିଟୋର ସହଯୋଗୀ । ଆଉ ଟେଣ୍ଡର ଫିକ୍ସିଂକୁ ନେଇ ହୋଇଥିଲା ଗୁଳିମାଡ଼ । ପୂରା ସତ ଜାଣିବାକୁ କୁଖ୍ୟାତ ଅପରାଧୀ ଟିଟୋକୁ ତଦନ୍ତ ପରିସରଭୁକ୍ତ କରିବ କମିଶନରେଟ ପୋଲିସ ।

ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ, ରାଜା ଆଚାର୍ଯ୍ୟ, ଅନୀଲ ଛୋଟରାୟ ଓ ହାଇଦରଙ୍କ ଭଳି ଓଡ଼ିଶା ଓଣ୍ଡରୱାର୍ଲ୍ଡର ବଡ଼ ବଡ଼ ଅପରାଧୀ ଏବେ ଜେଲ ଭିତରେ । ହେଲେ ଟିଟୋ ଏବେ ବି ପୋଲିସ ପାଇଁ ଅପହଂଚ । ପୋଲିସ ବିଶ୍ୱାସ କରୁଛି ଟିଟୋର ଇସାରାରେ ହେଉଛି ଟେଣ୍ଡର ଫିକ୍ସିଂ ଭଳି ବଡ଼ ବଡ଼ ଅପରାଧ । ମାତ୍ର ଟିଟୋ ନିକଟରେ ପହଁଚିପାରୁନି ପୋଲିସ । ନିଜେ ଅଦୃଶ୍ୟ ରହି ବୁଣି ଚାଲିଛି ଅପରାଧର ଷଡଯନ୍ତ୍ର । ଗୋଟିଏ ପଟେ ଟିଟୋ ନାଁରେ ସହଯୋଗୀମାନେ ଉତ୍ପାତ କରୁଥିବା ବେଳେ ଟିଟୋ ରହିଯାଇଛି ଆଢୁଆଳରେ । କୋଲକାତାରେ ଟିଟୋକୁ ପୋଲିସ ଏନକାଉଂଟର କରିଥିବା ଖବର ମଧ୍ୟ ଗୋଟିଏ ସମୟରେ ଚର୍ଚ୍ଚା ହେଉଥିଲା ।