image courtesy : PTI
କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ତାଣ୍ଡବ ରଚିବାର ୨୩ ଦିନ ବିତିଗଲାଣି। ସରକାରୀ କଳର ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଶ୍ରୀକ୍ଷେତ୍ର ପୁରୀରେ ଏ ଯାଏ ସ୍ଥିତି ସ୍ବାଭାବିକ ହୋଇପାରିନି। ଆଜି ବି ବିପନ୍ନମାନେ ଘୋର ଦୁର୍ଦ୍ଦଶା ଭିତରେ ରହିଛନ୍ତି। ପାନୀୟ ଜଳଠାରୁ ଆରମ୍ଭ କରି ଯାତାୟାତ ସବୁଥିରେ ଉତ୍କଟ ସମସ୍ୟା। ପ୍ରଭାବିତ ଅଞ୍ଚଳରେ ସବୁଠୁ ବଡ଼ ସମସ୍ୟା ହୋଇଛି ବିଦ୍ୟୁତ୍ ସେବା। ଗ୍ରାମାଞ୍ଚଳ ତ ଦୂର କଥା, ସହରାଞ୍ଚଳରେ ବି ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇ ପାରିନାହିଁ। ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ କଲବଲ ହେଉଛନ୍ତି। ବିଜୁଳି ଅବ୍ୟବସ୍ଥାକୁ ନେଇ ଲୋକଙ୍କ ଧୈର୍ଯ୍ୟ ସୀମା ଅତିକ୍ରମ କଲାଣି। ଫଳସ୍ବରୂପ ଦୈନିକ କେଉଁଠି ନା କେଉଁଠି ରାସ୍ତାରୋକ, ପୋଡ଼ାଜଳା ପରିସ୍ଥିତି ଉପୁଜୁଛି।
ବାତ୍ୟା ‘ଫନି’ ଯୋଗୁ ଜିଲ୍ଲାରେ ବିଜୁଳି ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁରୀ ପୌରାଞ୍ଚଳ, ସଦର ବ୍ଲକ, ବ୍ରହ୍ମଗିରି, ଡେଲାଙ୍ଗ, କଣାସ, ସତ୍ୟବାଦୀ, ନିମାପଡ଼ା, ଗୋପ, ଅସ୍ତରଙ୍ଗ, କୋଣାର୍କ, ପିପିଲି ଆଦି ଅଞ୍ଚଳରେ ୩୩ କେଭିଠୁ ଆରମ୍ଭ କରି ୧୧ କେଭି ବିଦ୍ୟୁତ ଟାୱାର, ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ, ଏଲ୍ଟି ଲାଇନ୍ ସବୁକୁ ମୋଡ଼ିମକଚି ଦେଇଥିଲା ‘ଫନି’। ଭିତ୍ତିଭୂମି କ୍ଷୟକ୍ଷତିର ବ୍ୟାପକତା ଦୃଷ୍ଟିରୁ ରାଜ୍ୟ ସରକାର ବିଦ୍ୟୁତ୍ ସେବାକୁ ଅଗ୍ରାଧିକାର ଭିତ୍ତିରେ ପୁନରୁଦ୍ଧାର ପାଇଁ କାମ ଆରମ୍ଭ କରିଥିଲେ।
ସେହି ଅନୁଯାୟୀ ଆନ୍ଧ୍ରପ୍ରଦେଶ, କେରଳ ଆଦି ରାଜ୍ୟରୁ ୩ ହଜାରରୁ ଅଧିକ କୁଶଳୀ ଶ୍ରମିକଙ୍କୁ ଅଣାଗଲା। ରାଜ୍ୟର ବିଦ୍ୟୁତ୍ ଠିକାଦାରଙ୍କୁ ପୁରୀରେ ବିଦ୍ୟୁତ୍ ସେବା ସଜାଡ଼ିବା ଦାୟିତ୍ବ ଦିଆଗଲା। ପୁରୁଣା ଖୁଣ୍ଟ, ତାର ବଦଳରେ ସବୁଠି ନୂଆଖୁଣ୍ଟ, ନୂଆ ତାର ସଂଯୋଗ ପାଇଁ ନିଷ୍ପତ୍ତି ହେଲା। ମରାମତି କାର୍ଯ୍ୟକୁ ଏହାମଧ୍ୟରେ ୨୦ ଦିନ ବିତିଗଲାଣି, କିନ୍ତୁ ସ୍ଥିତି ଯେଉଁଠିକୁ ସେଇଠି। ଆଜି ମଧ୍ୟ ପୁରୀର ଅର୍ଧାଧିକ ସହର ଅନ୍ଧକାର ଭିତରେ ରହିଛି। ସରକାରୀ ଘୋଷଣା ମୁତାବକ, କେବଳ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଏହାର ଆଖପାଖ କିଛି ଅଞ୍ଚଳକୁ ଛାଡ଼ିଦେଲେ ବାକି ସବୁଠି ବିଦ୍ୟୁତ୍ ସେବା ବନ୍ଦ ରହିଛି। ଯେଉଁଠି ବି ସଂଯୋଗ ଦିଆଯାଇଛି, ସେଠି ଦିନତମାମ୍ ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି। ରାତିରେ ଇଚ୍ଛା ହେଲେ ବିଦ୍ୟୁତ୍ ସଂଯୋଗ ମିଳୁଛି, ନହେଲେ ନାହିଁ। ସେସୁ, ଫେଡକୋର ମନମାନି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି।
image courtesy - thefrontierpost.comବିଜୁଳି ନଥିବାରୁ ଦିନରେ ଲୋକେ ଅସହ୍ୟ ଖରା ଗରମରେ ସିଝୁଛନ୍ତି, ରାତିରେ ମଶା, ଡାଆଁଶ । ସେପଟେ ଗ୍ରାମାଞ୍ଚଳରେ ବିଦ୍ୟୁତ୍ ବିଭାଗର ହାତ ବାଜିନି। ପୂର୍ବପରି ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫର୍ମର, ତାର ସବୁ ଅସଜଡ଼ା ଅବସ୍ଥାରେ ରାସ୍ତାରେ ପଡ଼ିରହିଛି। ସହର ଛାଡ଼ି ବିଦ୍ୟୁତ୍ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରାମାଞ୍ଚଳରେ ପଶିନାହାନ୍ତି। ଯେଉଁଥି ପାଇଁ ପିଇବା ପାଣିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା ସ୍ବାଭାବିକ ହୋଇପାରିନି। ସହରାଞ୍ଚଳରେ ବିଦ୍ୟୁତ୍ ସେବା ସ୍ବାଭାବିକ ହେଲା ବେଳକୁ ଆହୁରି ୧୫ ଦିନ ଲାଗିଯିବ ବୋଲି ବିଭାଗୀୟ କର୍ମଚାରୀମାନେ କହୁଛନ୍ତି।
ଏଥିରୁ ଗ୍ରାମାଞ୍ଚଳ ବିଦ୍ୟୁତ୍ ସେବା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏ ସଂପର୍କରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂହ କହିଛନ୍ତି, ବିଦ୍ୟୁତ୍ ସେବାକୁ ସ୍ବାଭାବିକ କରିବା ପାଇଁ ଆଇଟିଆଇ ଛାତ୍ରମାନଙ୍କୁ ଅଣାଯିବାକୁ ଯୋଜନା କରାଯାଇଛି। କିନ୍ତୁ ସେସୁ ନିର୍ବାହୀ ଅଧିକାରୀ ଶିବପ୍ରସାଦ ସ୍ବାଇଁ ଆଉ ମାତ୍ର ଦୁଇ ତିନି ଦିନ ମଧ୍ୟରେ ପୁରୀ ସହରରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ବ୍ରହ୍ମଗିରି, ଡେଲାଙ୍ଗ ଆଦି ଅଞ୍ଚଳରେ ବିଦ୍ୟୁତ୍ ଚାର୍ଜ କରାଯାଇଛି। ତେବେ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ସଦର ବ୍ଲକ ସଂପର୍କରେ ନିର୍ବାହୀ ଅଧିକାରୀ ମୁହଁ ଖୋଲିନାହାନ୍ତି। ଆମେ ଯଥାଶୀଘ୍ର ବିଦ୍ୟୁତ୍ ସଂଯୋଗ ପାଇଁ ଚେଷ୍ଟା କରୁଛୁ ବୋଲି କେବଳ ଆଶ୍ବାସନା ଦେଇଛନ୍ତି।
Follow Us