ଶିବଙ୍କୁ ସଲାମ୍ । ଧନ ବଡ ନୁହେଁ, ସେବାକୁ ଧର୍ମ ଭାବି ଦେଖାଇଲେ ମହାନତା । ଦୁର୍ଦ୍ଦିନ ସମୟରେ ଲୋକଙ୍କୁ ମାଗଣାରେ ପିଆଇଲେ ଚା’ ।

404

କନକ ବ୍ୟୁରୋ : ମହାବାତ୍ୟା ଭଳି ତାଣ୍ଡବ ରଚିଲା ‘ଫୋନି’ । ନିମିଷକ ମଧ୍ୟରେ ଛାରଖାର କରିଦେଲା ସବୁକିଛି । ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳବର୍ତ୍ତୀ ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରର ସୁନ୍ଦରତାକୁ ବର୍ବାଦ କରିଦେଇଛି । ଭୁବନେଶ୍ୱରର ମାନଚିତ୍ର ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇଯାଇଛି । ଲୋକେ ଚା’ ପାଣି ଟିକିଏ ପାଇବା ପାଇଁ ଦୀର୍ଘ ଦୂର ଚାଲି ଚାଲି ଯାଇ ବି ଏହା ପାଇପାରୁ ନଥିଲେ । ଏଭଳି ଦୁର୍ଦ୍ଦିନ ସମୟରେ ଶିବ ପାତ୍ର ନାମକ ଜଣେ ଯୁବକ ଲୋକଙ୍କୁ ମାଗଣାରେ ଚା’ ବାଣ୍ଟିଛନ୍ତି ।

ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳରୁ ଆସି ଭୁବନେଶ୍ୱରର ୟୁନିଟ-୮ ନିକଟ ନୂଆସାହିରେ ବସବାସ କରୁଥିବା ଶିବଙ୍କ ଘର ଦ୍ୱାର ଭାଙ୍ଗି ଯାଇଛି । ଚା’ ଦୋକାନ ଭାଙ୍ଗିଯାଇଥିବାରୁ ଖୋଲା ଆକାଶ ତଳେ ଷ୍ଟୋଭ୍ ଜାଳି ଲୋକଙ୍କୁ ଚା’ ବାଣ୍ଟିଛନ୍ତି । ଶିବ ପାତ୍ର ୟୁନିଟ-୮ କଲ୍ୟାଣ ମଣ୍ଡପ ଛକ ଠାରୁ ରାଜ୍ୟ ଲୋକ କଲ୍ୟାଣ କାର୍ଯ୍ୟାଳୟ ରାସ୍ତା କଡ଼ରେ ଲୋକଙ୍କୁ ଚା’ ବାଣ୍ଟୁଛନ୍ତି ।

ସେ କହିଛନ୍ତି, ଦୀର୍ଘ ୧୨ ବର୍ଷ ହେବ ଚା’ ଦୋକାନ ଖୋଲି ପରିବାର ପୋଷୁଛନ୍ତି । ଏତେ ବଡ଼ ଭୟଙ୍କର ବାତ୍ୟା ସେ ଆଗରୁ କେବେ ଦେଖି ନଥିଲେ । ଲୋକଙ୍କୁ ଖାଇବାକୁ ଦେବା ପାଇଁ ମନ ଥିଲେ ବି ଗରିବ ଲୋକ ହୋଇଥିବାରୁ କେଉଁଠୁ ଆଣି ଦେବି । ତେଣୁ ଯଥା ସମ୍ଭବ ଲୋକଙ୍କୁ ଚା’ ଟିକିଏ ଲେଖାଏଁ ଦେଲେ ଖୁସି ଲାଗୁଛି । ବାତ୍ୟା ଶୁକ୍ରବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୨୦୦ରୁ ଅଧିକ ବେଗରେ ପବନ ବୋହି ଭୁବନେଶ୍ୱରକୁ ଛାରଖାର୍ କରିଦେଇଛି । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗଳିକନ୍ଦି ଚାରିଆଡେ କୁଢ଼ କୁଢ଼ ଗଛ, ବିଦ୍ୟୁତ୍ ତା’ର, ଅନ୍ୟାନ୍ୟ କେବୁଲ ତା’ର ଗଦାଗଦା ହୋଇ ପଡ଼ିଛି । ସଂପୂର୍ଣ୍ଣ ଭୁବନେଶ୍ୱରରେ ଲୋକେ ପାଣି ଓ ବିଦ୍ୟୁତ୍ ସେବା ପାଇଁ ହାହାକାର ହେଉଛନ୍ତି ।