ଆଜି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ହେଲେ ଛାରଖାର ହୋଇଯାଇଛି ପୁରୀ । ସେପଟେ ରଥଯାତ୍ରା ସରକାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ।

568

କନକ ବ୍ୟୁରୋ : ଆଜି ହେଉଛି ଚନ୍ଦନ ଯାତ୍ରା । ହେଲେ ସବୁ ଅସଜଡା । କିଛି ବି ବ୍ୟବସ୍ଥା ହୋଇନାହିଁ । ସାମୁଦ୍ରିକ ଝଡ ଫୋନି ତାଣ୍ଡବରେ ସବୁ ଛାରଖାର ହୋଇଯାଇଛି । ଚନ୍ଦନଯାତ୍ରା ପାଇଁ ଛାମୁଣ୍ଡିଆଟେ ବି ପ୍ରସ୍ତୁତ ହୋଇପାରିନାହିଁ । ଅବ୍ୟବସ୍ଥାରେ ରହିଛି ନରେନ୍ଦ୍ର ପୋଖରୀ । ସେପଟେ ସାରା ସହର କିଟିକିଟି ଅନ୍ଧାରରେ ବୁଡିଛି । ବିଜୁଳି ସଂଯୋଗ ସବୁଠାରୁ ବଡ ସମସ୍ୟା । ଚନ୍ଦନଯାତ୍ରା କୌଣସି ପ୍ରକାରେ ହୋଇଯାଇପାରିବ କିନ୍ତୁ ରଥଯାତ୍ରା ଏବେ ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ । ଯୁଦ୍ଧକାଳୀନ ଭିତ୍ତିରେ କାମନକଲେ ରଥଯାତ୍ରା ବେଳକୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହେବା ଏକ କାଠିକର ପାଠ ।

ଆଉ ୬୦ ଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀବିଗ୍ରହ ପଦାକୁ ବାହାରିବେ । ରଥଯାତ୍ରା, ବାହୁଡା, ସୁନାବେଶରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ । ଏତେ ଲୋକଙ୍କ ପାଇଁ ପୁରୀରେ ଭିତ୍ତିଭୂମି ପ୍ରସ୍ତୁତି ଜରୁରୀ । ତେଣୁ ରଥଯାତ୍ରା ଆୟୋଜନ ଏବେ ସରକାରଙ୍କ ପାଇଁ ବଡ ଆହ୍ୱାନ । ବିଜୁଳୀ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଗଲେ ବି ପୂର୍ବ ସ୍ଥିତି ପାଇଁ ଅନ୍ୟୁନ ୨ ମାସରୁ କମ୍ ସମୟ ଲାଗିବ ନାହିଁ । ଅର୍ଥାତ ରଥଯାତ୍ରା ବେଳକୁ ବିଜୁଳି ସେବା ପ୍ରସ୍ତୁତ ହେବା ସମ୍ଭବ ହୋଇନପାରେ । ସେହିପରି ପାଣି ବ୍ୟବସ୍ଥା ତ ଆହୁରି ଦୟନୀୟ ସ୍ଥିତିରେ ଅଛି । ଏବେ ଲୋକଙ୍କୁ ପାଣି ଯୋଗାଇବା କଷ୍ଟକର ହେଉଛି, ଭକ୍ତଙ୍କ ପାଇଁ ପାଣି ବ୍ୟବସ୍ଥା କରିବା କାଠିକର ବ୍ୟାପାର ।

ସେହିପରି ଭକ୍ତ ଏବଂ କାର୍ଯ୍ୟରତ ଅଧିକାରୀଙ୍କ ରହିବା ହେଉଛି ଆଉ ଏକ ସମସ୍ୟା । ବାତ୍ୟା ଫୋନି ପ୍ରଭାବରେ ପୁରୀରେ ୮୦ ଭାଗ ହୋଟେଲ କ୍ଷତିଗ୍ରସ୍ତ ହୋଇଛି । ସେଗୁଡିକର ପୁନରୁଦ୍ଧାର ପାଇଁ ଅତି କମରେ ୩ ମାସ ସମୟ ଲାଗିବ । ଏଭଳି ସ୍ଥିତିରେ ଲୋକେ ରହିବେ କେଉଁଠି । ପ୍ରମୁଖ ଭିତ୍ତିଭୂମିକୁ ବାଦ ଦେଲେ ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ ବ୍ୟବସ୍ଥା ଭୁଷୁଡି ପଡିଛି । ଏସବୁ ବ୍ୟବସ୍ଥାକୁ ୬୦ ଦିନ ମଧ୍ୟରେ ସ୍ୱାଭାବିକ କରିବା ଦୁରୂହ ବ୍ୟାପାର ।