‘ଫୋନି’ ପୀଡିତଙ୍କ ପାଇଁ ବଢିଲା ସହାୟତାର ହାତ । ନାଲକୋ ପକ୍ଷରୁ ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ରିଲିଫ୍ ବଣ୍ଟନ ।

196

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ଚାଲିଯାଇଛି ସତ, କିନ୍ତୁ ଛାଡିଯାଇଛି ଚିହ୍ନ । ଯେଉଁ ଚିହ୍ନ କେବେ ଯେ ଲିଭିବ, ତାହା କେହି ଆକଳନ ମଧ୍ୟ କରିପାରିବେ ନାହିଁ । ଛାରଖାର ହୋଇଯାଇଛି ସବୁକିଛି । ଅନେକ ଧନଜୀବନ ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଜନସାଧାରଣଙ୍କ ଜୀବନ ପ୍ରଭାବିତ ହୋଇଛି । ଦୁଃଖ ଦୁର୍ଦ୍ଦିନରେ ଦିନ କାଟୁଥିବା ବାତ୍ୟା ପୀଡିତଙ୍କ ପାଇଁ ଏବେ ବିଭିନ୍ନ ମହଲରୁ ସହାୟତାର ହାତ ମଧ୍ୟ ବଢିଛି ।

ବାତ୍ୟା ପରେ ପରେ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ବିଭିନ୍ନ କଲୋନୀ ଓ ବସ୍ତିରେ ପ୍ରଭାବିତ ଜନସାଧାରଣଙ୍କ ପାଇଁ ନାଲକୋ ପକ୍ଷରୁ ତୁରନ୍ତ ରିଲିଫ୍‌ କାର୍ଯ୍ୟ ଆରମ୍ଭ ହୋଇଛି । ଇଲେକ୍ଟ୍ରିସିଆନ୍‌, ପ୍ଲମ୍ବର୍‌, ଗଛ କଟାଳୀ ମାନଙ୍କୁ ନେଇ ଗଠିତ ୭ଟି ଦଳ ଇଲେକ୍ଟ୍ରିକ୍‌ ଗଛ କଟା ଯନ୍ତ୍ର,  ଜେନେରେଟର୍‌ ଏବଂ ରିଲିଫ୍‌ ସାମଗ୍ରୀ ସହ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରତି ଦଳରେ ୧୭-୨୦ ଜଣ କର୍ମଚାରୀ ଅଛନ୍ତି । ଅନୁଗୋଳ ଓ ଦାମନଯୋଡ଼ି ସ୍ଥିତ ନାଲ୍‌କୋର ୟୁନିଟ୍‌ରୁ ଦୁଇଟି ଦଳ ମଧ୍ୟ ରିଲିଫ୍‌ କାର୍ଯ୍ୟରେ ସହୟତା ପାଇଁ ଭୁବନେଶ୍ୱର ପହଞ୍ଚିଛନ୍ତି । ନାଲ୍‌କୋ ତରଫରୁ ଶାଢୀ, ତଉଲିଆ, ଚାଉଳ, ଡାଲି, ଲୁଣ, ଚିନି, ଗୁଡ, ବିସ୍କୁଟ୍‌, କ୍ଷୀର ଓ ଫଳ ଆଦି ବିତରଣ କରାଯାଉଛି।

୪ ତାରିଖରେ, ନାଲ୍‌କୋ ତରଫରୁ ପଟିଆ ଅଞ୍ଚଳର ବସ୍ତିରେ ରିଲିଫ୍‌ ବିତରଣ କରାଯାଇଥିଲା । ନାଲ୍‌କୋର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ (ମାନବସମ୍ବଳ) ସମେତ ବରିଷ୍ଠ ପ୍ରବନ୍ଧକ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟର ତଦାରଖ ଓ ପରିଚାଳନା କରିଥିଲେ । କମ୍ପାନୀର ୟୁନିଅନ୍‌, ଆସୋସିଏସନ୍‌, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ବସ୍ତିର ଜନସାଧାରଣ ନାଲ୍‌କୋର ଏହି କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ବିଭିନ୍ନ କଲୋନୀରେ ଜଳାଭାବ ଜନିତ ସମସ୍ୟାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ନାଲ୍‌କୋ ଟିମ୍‌ ଡିଜି ସେଟ୍‌ ସହ ବୁଲୁଛନ୍ତି ଏବଂ କଲୋନୀଗୁଡ଼ିକରେ ଟାଙ୍କିକୁ ବୋର୍‌ୱେଲ୍‌ରୁ ପାଣି ଉଠାଇବାରେ ସାହାଯ୍ୟ କରୁଛନ୍ତି । ବିଭିନ୍ନ କଲୋନୀର ଜନସାଧାରଣଙ୍କୁ ନାଲ୍‌କୋର ପ୍ଲମ୍ବର୍‌ ଓ ଇଲେକ୍ଟ୍ରିସିଆନ୍‌ମାନେ ମଧ୍ୟ ସାହାଯ୍ୟ କରୁଛନ୍ତି ।

ଫନି ଯୋଗୁଁ ନାଲ୍‌କୋର ୨ ଟି ଟାଉନସିପ, ନୟାପଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଏବଂ ଗୋଠପାଟଣା ସ୍ଥିତ ରିସର୍ଚ୍ଚ୍‌ ସେଣ୍ଟର୍‌ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । କିନ୍ତୁ, ଖୁବ୍‌ କମ୍‌ ସମୟ ମଧ୍ୟରେ ନାଲ୍‌କୋ ଏହାର ସମସ୍ତ ବ୍ୟବସ୍ଥାରେ ୨୪ ଘଣ୍ଟା ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି ଆରମ୍ଭ କରିପାରିଛି ।