କନକ ବ୍ୟୁରୋ: ଛ’ ମାସ ଯାଏଁ ଆଉ ମିଳିନପାରେ ଅସ୍ତରଙ୍ଗ କାକଟପୁରର ପ୍ରସିଦ୍ଧ ପାନ । ଉଡିଗଲା ବରଜ, ବୁଡିଗଲା ବେଉସା । କେଇ ଘଂଟାର ଝଡ ତୋଫାନରେ ଛାରଖାର ହୋଇଗଲା ଏକର ଏକର୍ ପାନ ଚାଷ । ଫୋନିର ତାଣ୍ଡବରେ ଭାଙ୍ଗିଯାଇଥିବା ପାନଗଛ ଏବେ ଖରାରେ ମରିଗଲାଣି । ଗଛ ସବୁ ଝାଉଁଳି ଶୁଖିଗଲାଣି । ବରଜ ଉଠାଇବାକୁ ଚାଷୀଙ୍କ ପାଖରେ ଟଙ୍କା ନାହିଁ । ସରକାର ପାନ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ ବି ଏହା ଯଥେଷ୍ଟ ନୁହେଁ ବୋଲି ଅନେକ ଅଭିଯୋଗ ଆଣିଛନ୍ତି ।

Advertisment

publive-image

ନୂଆ ପାନବରଜ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଅଳ୍ପ ଆର୍ଥିକ ସହାୟତା କଣ ହେବ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ଅସ୍ତରଙ୍ଗ ଅଂଚଳରେ ଚାଷୀମାନେ ବହୁ ପରିମାଣରେ ପାନ ଚାଷ କରିଥିଲେ । କିନ୍ତୁ ଫୋନି ମାଡରେ ପାନବରଜ ନଷ୍ଟ ହୋଇଯାଇଛି । ଏହାପରେ ପ୍ରବଳ ଗ୍ରୀଷ୍ମପ୍ରବାହରେ ଗଛ ସବୁ ଝାଉଁଳିଯାଇଛି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଉଜୁଡ଼ି ଯାଇଥିବା ପାନ ବରଜକୁ ସଜାଡିବା ପାଇଁ ଏବେ ଚାଷୀ କରୁଛି କସରତ । ଭଙ୍ଗା ତାଟିକୁ ଉଠାଇ ପୁଣି ଥରେ ସଳଖି ଠିଆ କରିବାକୁ ଚେଷ୍ଟା କରୁଛି ଚାଷୀ ।

publive-image

ଏଭଳି ସ୍ଥିତିରେ କେମିତି କ୍ଷତି ଭରଣା ହେବ ସେ କଥା ଭାବିଲା ବେଳକୁ ଚାଷୀ ମୁଣ୍ଡର ଚଡକ ପଡ଼ିଯାଉଛି । ଏବେ ବଡ ଚିନ୍ତା କେମିତି ଚଳିବ ପରିବାର । କ’ଣ ଖାଇବେ, କେମିତି ବଂଚିବେ । ଭାତ ହାଣ୍ଡି ଥିବା ପାନ ଚାଷର ଏଭଳି ଅବସ୍ଥା ପରେ ଚାଷୀଙ୍କ ଅଂଟା ଭାଙ୍ଗି ଯାଇଛି ।