‘ଫୋନି’ ପରେ ସୋସିଆଲ ମିଡ଼ିଆରେ ଓଡ଼ିଶାର ହାତମୁଠା ଟାଣ କରିବାକୁ ଆହ୍ୱାନ । ସହାୟତା ପାଇଁ ବଲିଉଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ କ୍ରିକେଟରଙ୍କ ଅପିଲ୍ ।

1,250

କନକ ବ୍ୟୁରୋ: ଭୟଙ୍କର ବାତ୍ୟା ‘ଫୋନି’ ପ୍ରକୋପରେ ଉଜୁଡ଼ି ଯାଇଥିବା ଓଡ଼ିଶାକୁ ଗଢ଼ି ତୋଳିବା ପାଇଁ ସହାୟତା କରିବାକୁ ଆହ୍ୱାନ । ବଲିଉଡ଼ କଳାକାର, କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ, ହରଭଜନ ସିଂ ପ୍ରମୁଖ ଟ୍ଵିଟ କରି ଓଡିଶା ବାସୀଙ୍କ ନିରାପଦ କାମନା କରିଛନ୍ତି । ସେହିଭଳି ବଲିଉଡ କଳାକାର ମାନେ ମଧ୍ୟ ଓଡିଶାବାସୀଙ୍କ ନିରାପଦ କାମନା କରିବା ସହ ମହାପ୍ରଭୁ ଜଗନ୍ନାଥ ଓଡିଶାବାସୀଙ୍କୁ ଏଭଳି ପରିସ୍ଥିତି ସହ ଲଢେଇ କରିବାକୁ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି । ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ ଓ ଟେରେନ୍ସ ଲୁଇସ ମଧ୍ୟ ରାଜ୍ୟବାସୀଙ୍କ ନିରାପଦ କାମନା କରି ଟ୍ୱିଟ୍ କରିଛନ୍ତି ।

ବାତ୍ୟା ‘ଫୋନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ଓଡ଼ିଶା ଓ ମୂଲ୍ୟବାନ ଜନଜୀବନକୁ ପୁଣିଥରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ମାଧ୍ୟମରେ ସହାୟତା କରିବାକୁ ଅପିଲ୍ କରିଛନ୍ତି ନବୀନ । ନିଜ ଅଫିସିଆଲ ଟ୍ୱିଟର ପେଜ୍ ମାଧ୍ୟମରେ ନବୀନ କହିଛନ୍ତି କି, ବାତ୍ୟା ‘ଫୋନି’ ଆମ ରାଜ୍ୟକୁ ଭାଙ୍ଗିଦେଇଛି କିନ୍ତୁ ଆମ ଭରସା ଓ ବିଶ୍ୱାସକୁ ନୁହେଁ । ତେଣୁ ପୁଣି ଥରେ ଏକ ସୁନ୍ଦର ଓଡ଼ିଶା ଗଢ଼ିବା ପାଇଁ ସହାୟତାର ହାତ ବଢ଼ାଇବାକୁ ସୋସିଆଲ ମିଡ଼ିଆରେ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ମଧ୍ୟ ଓଡ଼ିଶାକୁ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅପିଲ୍ କରାଯାଇଛି । ବାତ୍ୟା ‘ଫୋନି’ ପ୍ରଭାବିତ ହୋଇ ଭାଙ୍ଗି ପଡ଼ିଥବା ଲୋକମାନଙ୍କ ଘରକୁ ପୁନଃରୁଦ୍ଧାର ପାଇଁ ସହାୟତା ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସହାୟତା ଅର୍ଥ ପଠାଇବାକୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ।