ଦୁଃଖ ଦେଇଗଲା ‘ଫୋନି’, ହେଲେ ଆମେ ହାର ମାନିବୁନି, ଆସନ୍ତୁ ମିଳିମିଶି ଭାଙ୍ଗିପଡ଼ିଥବା ଓଡ଼ିଶାର ଭରସାକୁ ଯୋଡ଼ିବା ।

ପୁରୀ ସହ ଟ୍ୱିନସିଟିକୁ କବଳକୁ ନେଲା କାଳରୂପୀ ‘ଫୋନି’ କିଛି ବର୍ତ୍ତିଲାନି।

332

କନକ ବ୍ୟୁରୋ: ଶଙ୍ଖ କ୍ଷେତ୍ରରେ ଲ୍ୟାଣ୍ଡଫଲ କରି ଜଗନ୍ନାଥ ଧାମକୁ ଖିନଭିନ୍ କରିଦେଲା । ହେଲେ ଏତିକିରେ ଶାନ୍ତି ହେଲାନି ମନ ତା’ର , ଆଉ ମାଡ଼ି ଆସିଲା ଟ୍ୱିନସିଟିକୁ ନିଜ ଫଣାରେ ଛାରଖାର କରିଦେଇ ଫେରିଗଲା କାଳରୁପୀ ବାତ୍ୟା ‘ଫୋନି’ । ଏବେ ନାଁ ଶ୍ରୀକ୍ଷେତ୍ରର କୋଇଲି ବୈକୁଣ୍ଠରେ ଶୁଭୁଛି କୁହୁ ଶବ୍ଦ ନା ଅଛି ସେ ମନୋଲୋଭା ସୌନ୍ଦର୍ଯ୍ୟ । ଶ୍ରୀକ୍ଷେତ୍ରରୁ ପ୍ରାଣପକ୍ଷୀ ଉଡ଼ି ଚାଲିଗଲା ଭଳି ଏବେ ଜଗନ୍ନାଥ ଧାମ ଦେଖିବାକୁ ମିଳୁଛି । କୁଆଡୁ ଥିଲା କେଜାଣି କଳା ପାହାଡ଼ ଭଳି ମାଡ଼ି ଆସିଲା ଆଉ ଅଶାନ୍ତ ସମୂଦ୍ର ଜୁଆର ଭିତରୁ ଫଣା ମେଲାଇ ପ୍ରଥମେ ଶ୍ରୀକ୍ଷେତ୍ରର ପତିତପାବନ ବାନାକୁ ଉଡ଼ାଇ ନେଲା ପରେ ରଚିଥିଲା ଭୟଙ୍ଗର ତାଣ୍ଡବ ।

ଯାହାକୁ କେବେ ପଞ୍ଚ ସଖାଙ୍କ ମାଳିକା ବଚନରେ ପଢ଼ିଥିଲେ ତାହା ସତେ ଯେମିତି ବାସ୍ତବରେ ଘଟିଥିବା ହୃଦୟଙ୍ଗମ କରିଲେ ପୁରୀବାସି । କେଇ ଘଣ୍ଟା ମଧ୍ୟରେ ଛାତିରୁ ଅତଡ଼ା ଖସିଲା ଭଳି ପବନର ବେଗ ବଢ଼ିଚାଲିଲା । ଆଉ ସେଥିରେ ଭାଙ୍ଗି ଯାଇଥିଲା ବିଶ୍ୱାସର ବୃକ୍ଷ ବୋଲାଉଥିବା କଳ୍ପବଟ ଆଉ ଛିଡି ଯାଇଥିଲା ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସ ଓ ଭରସାରେ ବନ୍ଧାଥିବା ମାନସିକ ଡ଼ୋରୀ । ସତେ ଯେମିତି ପ୍ରକୃତିର କାଳରୂପୀ ସର୍ପ କେବଳ ଶ୍ରୀକ୍ଷେତ୍ରକୁ ଧ୍ୱଂସ କରିବାକୁ ଆସିଥଲା ।

ବର୍ତ୍ତମାନ ଯାହା ହୋଇଗଲା ତାକୁ ହୁଏତ କେହି ସହଜରେ ଭୂଲିପାରିବେ ନାହିଁ । କିନ୍ତୁ ଏହି ତାଣ୍ଡବ ଲୀଳାରେ ଛାରଖାର ହୋଇଥିବା ପୁରୀ, ଭୁବନେଶ୍ୱର ଓ କଟକ ଭଳି ଓଡ଼ିଶାର ମେରୁଦଣ୍ଡକୁ ପୁଣି ସୁନ୍ଦରଭାବେ ଗଢ଼ି ତୋଳିବା ପାଇଁ ବିଭିନ୍ନ ମହଲରୁ ଅପିଲ ହେଉଛି । ଏପରିକି ଓଡ଼ିଶାର ଶିରୋମଣି ଗର୍ବ ଗୌରବ ଜଗନ୍ନାଥ ଧାମକୁ ପୁଣି ଥରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରଭାବେ ଗଢ଼ି ତୋଳିବାକୁ ବିଭିନ୍ନ କ୍ଷେତ୍ରରୁ ସହାୟତାର ହାତ ବଢ଼ାଉଛନ୍ତି ।

ଅନ୍ୟପଟେ ‘ଫୋନି’ ଫଣାରୁ ବାଦ୍ ପଡ଼ିନଥିବା ଦେଶର ନମ୍ବର ୱାନ୍ ସ୍ମାର୍ଟ ସିଟି ଭୁବନେଶ୍ୱରେ ଯେଉଁଭଳି ଶସ୍ମାନର ଭ୍ରମ ସୃଷ୍ଟି ହୋଇଛି, ତାକୁ ମନରୁ ଭୁଲାଇ ପୁଣି ଦେଶରେ ଏକ ନମ୍ବର ସ୍ମାର୍ଟସିଟି ଭାବେ ଗଢ଼ି ତୋଳିବାକୁ ମଧ୍ୟ ସୋସିଆଲ ମିଡ଼ିରେ ଚାରିଆଡୁ ଅପିଲ୍ କରାଯାଉଛି । ଆଉ ଯେଉଁ ରାଜଧାନୀ ଚିକିମିକି ଆଲୁଅରେ ନୂଆ ବୋହୁ ପରି ଦିଶେ ଆଜି ସେ ରାଜଧାନୀର ହାର୍ଟରୁ ହୃତପିଣ୍ଡ ବାହାର କଲାଭଳି ଚିତ୍ର ଅନେକଙ୍କ ମନକୁ ମର୍ମାହତ କରିଛି । ତେଣୁ ଏଭଳି ସମୟରେ ରାଜଧାନୀର ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ଏକଜୁଟ୍ ହୋଇ କାର୍ଯ୍ୟ କରିବା ଆବଶ୍ୟକ ହୋଇପଡ଼ିଛି ।

ଅନ୍ୟପଟେ ସାରା ବିଶ୍ୱରେ ଐତିହାସିକ ସିଲଭର ସିଟି ଭାବେ ପ୍ରଖ୍ୟାତି ଲାଭ କରିଥିବା କଟକ ସହରରେ ମଧ୍ୟ ସମାନ ସ୍ଥିତି । ବାତ୍ୟା ‘ଫୋନି’ ସିଲଭର ସିଟିକୁ ନିଜ ପ୍ରକୋପ ଝାସରେ ଉଜାଡ଼ି ଦେଇଛି । ପୁରୀ ଏବଂ ଭୁବନେଶ୍ୱର ଭଳି ଏଠାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାସ୍ତା କଡ଼ରେ ମାଟି କାମୁଡ଼ି ପଡ଼ିଛି ବିଦ୍ୟୁତ୍ ଖୁଣ୍ଟି ଆଉ ହଜାର ହଜାର ଗଛ । ଯାହାକି କଟକବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ହେଲେ ଭାଇଚାରା ସହର ଭାବେ ପରିଚିତ କଟକରେ ଏକଜୁଟ୍ ହୋଇ ବାତ୍ୟା ‘ଫୋନି’ ଦେଇଥିବା କ୍ଷତକୁ ଭଲ କରିବାକ ପାଇଁ ଏକାଠି ହେବାକୁ ବିଭିନ୍ନ ମହଲରୁ ଅପିଲ କରାଯାଉଛି ।