୪ ଘଣ୍ଟାର କସରତ ପରେ ଲିଭିଲା ନିଆଁ । ଲକ୍ଷ ଲକ୍ଷ ଟଙ୍କାର ଲୁଗା ଓ ଆସବାବପତ୍ର ପୋଡ଼ି ପାଉଁଶ

166

କନକ ବ୍ୟୁରୋ : ସାଲାସାର୍ ଲୁଗା ଦୋକାନରେ ହଠାତ୍ ଲାଗି ଯାଇଥିଲା ନିଆଁ । ଧୁଆଁ ମୟ ହୋଇ ଯାଇଥିଲା ଆଖପାଖ ଅଂଚଳ । ଏହାକୁ ନେଇ ହଇଚଇ ଖେଳିଗଲା । ପ୍ରଥମେ ତଳ ମହଲାରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ପୂରା ଚାରି ମହଲା କୋଠା ହୁ ହୁ ହୋଇ ଜଳିଥିଲା । ଗୋଟିଏ ପ୍ରବେଶ ଦ୍ୱାର ହୋଇଥିବାରୁ ଆତଙ୍କ ଖେଳି ଯାଇଥିଲା । ଘଟଣା ସ୍ଥଳରେ ୭ଟି ଦମକଳବାହିନୀ ଟିମ୍ ପହିଂଚି ନିଆଁକୁ ଆୟତ କରିବାକୁ ଜୋରଦାର ଉଦ୍ୟମ କରିଥିଲେ ।

ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଭରପୂର ଥିଲା ଲୁଗା ଦେକାନ । ଆଉ ନିଆଁରେ ଜଳି ଯାଇଥିଲା ଷ୍ଟକ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସଂକୀର୍ଣ୍ଣ ରାସ୍ତା, ଖୁନ୍ଦି ହୋଇ ରହିଥିବା ଦୋକାନ ଓ ଜନଗହଳିପୂର୍ଣ୍ଣ ଅଂଚଳ ହୋଇଥିବାରୁ ନିଆଁକୁ ଆୟତ କରିବା ବେଶ କଷ୍ଟକର ଥିଲା । ସଂପୃକ୍ତ ଦୋକାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ, ଏ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

କଟକ ଜିଲ୍ଲାପାଳ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ଚୌଧୁରୀ ବଜାରରେ ନିଆଁ ଲାଗିବା ଚିନ୍ତାର କାରଣ ହୋଇଛି । କାରଣ ଏହି ବଜାରରେ ରହିଛି ଅନେକ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ । ତେଣୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କିପରି ରହିଛି, ଏ ନେଇ ଯାଂଚ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସକାଳୁ ନିଆଁ ଲାଗିଥିବାରୁ କେହି ମୃତାହତ ହୋଇନାହାନ୍ତି । ତେବେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ ।