ପଶୁ ନୁହେଁ ପରିବାରର ସଦସ୍ୟ ପରି ଘରେ ରହିଛି ବାଛୁରୀ । ନିଜ ଝିଅ ପରି ଲାଳନପାଳନ କରୁଛନ୍ତି ଦମ୍ପତ୍ତି । ଭୁବନେଶ୍ୱରରେ ପଶୁ-ମଣିଷର ନିଆରା କାହାଣୀ…

166

କନକ ବ୍ୟୁରୋ: ଗୋଟିଏ ବିଛଣାରେ ବାପାମାଆ ଓ ଛୁଆ । ଆପଣ ଖୋଜୁଥିବେ ଏଠି ଛୁଆ କାହିଁ । ଏଠି ତ ସ୍ୱାମୀ-ସ୍ତ୍ରୀଙ୍କ ମଝିରେ ବାଛୁରୀଟିଏ ଶୋଇଛି । ଛୁଆର କଥା ଉଠିଲା କେଉଁଠୁ ? ଆଜ୍ଞା ! ଏ ଦମ୍ପତ୍ତିଙ୍କର ପିଲାଛୁଆ କହିଲେ ଏଇ ବାଛୁରୀ । ସ୍ନେହ ପ୍ରେମ ଭଲପାଇବା ଓ ମମତା ଆଗରେ ପଶୁଟିଏ ବି ମଣିଷର ଛୁଆ ସାଜିପାରେ । ଯାହା ଏ ଦମ୍ପତ୍ତିଙ୍କ କ୍ଷେତ୍ରରେ ଦେଖାଦେଇଛି । ବାଛୁରୀକୁ ସେମାନେ ଏତେ ଭଲପାଉଛନ୍ତି ଯେ, ସେମାନେ ତାକୁ ନିଜ ଝିଅ ଭଳି ଦେଖୁଛନ୍ତି । ତାର ନାମକରଣ କରି ମିନି ବୋଲି ଡାକୁଛନ୍ତି ଆଉ ତାକୁ ପାଖରେ ବସାଇ ଖୁଆଇବା ପିଆଇବା ସହ ନିଜ ବିଛଣାରେ ବି ଶୁଆଉଛନ୍ତି ।

ଏ ସମ୍ପର୍କରେ ନା ଅଛି ସ୍ୱାର୍ଥ ନା ଅଛି ଛଳନା । ନିରୁତା ଭଲପାଇବା, ବିଶ୍ୱାସ ଓ ଭରସା ସହ ମାନବିକତାର ମଝିଖୁଣ୍ଟ ଉପରେ ଗଢା ହୋଇଛି ଏ ସମ୍ପର୍କ । ଯେଉଁଠି ଫିକା ପଡିଛି ପଶୁ ଓ ମଣିଷ ଭିତରେ ଫରକ ଓ ତଫାତ । ଭୁବନେଶ୍ୱର ସୁନ୍ଦରପଦାରେ ରହୁଥିବା ପିହୁ ଚକ୍ରବର୍ତ୍ତୀ ଓ ରଶ୍ମିରଞ୍ଜନ ସ୍ୱାଇଁ ଗତ ୨୫ ଦିନ ତଳେ ପ୍ରାୟ ରାତି ୨ଟା ପାଖାପାଖି ଏ ବାଛୁରୀକୁ ଉଦ୍ଧାର କରିଥିଲେ । ରାସ୍ତାକଡେ ବାଛୁରୀକୁ ଜନ୍ମ ଦେଇ ତା ମାଆ କେଉଁ ଆଡେ ପଳାଇ ଯାଇଥିବାରୁ କିଛି କୁକୁର ବାଛୁରୀକୁ କାମୁଡିବାକୁ ଗୋଡାଉଥିଲେ ଆଉ ଏ ଖବର ପାଇ ଘଟଣାସ୍ଥଳରୁ ବାଛୁରୀକୁ ନିଜ ଘରକୁ ଆଣିଥିଲେ ଦମ୍ପତ୍ତି ।

ଦମ୍ପତ୍ତିଙ୍କ କହିବା କଥା କି, ବାଛୁରୀକୁ ଜନ୍ମ ଦେବା ପରେ ଏକ ଶୂନଶାନ ଜାଗାରେ ଗାଈର ମୃତଦେହ ଠାବ ହୋଇଥିଲା ଆଉ ତା ମୁହଁରୁ ଫେଣ ବାହାରୁଥିଲା । ସମ୍ଭବତ ଗାଈକୁ ସାପ କାମୁଡିଥାଇ ପାରେ ଆଉ ସେ ତା ବିଷାକ୍ତ କ୍ଷୀର ତା ଛୁଆକୁ ନଦେଇ ଜାଣିଶୁଣି ଛାଡି ପଳାଇଥାଏ ପାରେ । ତେଣୁ ମାଆ ଛେଉଣ୍ଡ ବାଛୁରୀକୁ ମାଆର ମମତା ଦେବାକୁ ପିହୁ ତାକୁ ନିଜ ଝିଅ ପରି ପାଳିଥିଲେ ।

ନିଜ ଛୁଆ ପରି ବାଛୁରୀକୁ ଗେଲ କରୁଛନ୍ତି ଏହି ଦମ୍ପତି । ତା ସହ ଖେଳୁଛନ୍ତି ବୁଲୁଛନ୍ତି ମଜା ମସ୍ତି କର ସମୟ ବିତାଇ ଦେଉଛନ୍ତି । ଆଉ ଦୁନିଆ କଣ ଜାଣିବା ଆଗରୁ ମାଆକୁ ହରାଇଥିହା ନୀରିହ ପଶୁ ମଣିଷର ସ୍ନେହ ପାଇ ମାଆର କଥା ଭୁଲିବାକୁ ବସିଛି । ଯାହା ଏ ସମାଜ ପାଇଁ ଏକ ସୁନ୍ଦର ନିଦର୍ଶନ ।