ପୁଣି ତେଜିଲା ଫୋଟ ରାଜନୀତି । ଭ୍ୟାକ୍ସିନ ପ୍ରମାଣ ପତ୍ରରେ ମୋଦିଙ୍କ ଫୋଟ ପରେ ଏବେ ରାସନ ପ୍ୟାକେଟରେ ବି ରହିବ ବିଜେପିର ନିର୍ବାଚନୀ ଚିହ୍ନ

195

କନକ ବ୍ୟୁରୋ : ଭ୍ୟାକ୍ସିନ ପ୍ରମାଣ ପତ୍ର ପରେ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କ ଦିଆଯାଉଥିବା ରାସନ ଉପରେ ବି ରହିବ ମୋଦିଙ୍କ ଫୋଟ । ଏନେଇ ବିଜେପି ଶାସିତ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି ବିଜେପି ମହାସଚିବ ଅରୁଣ ସିଂ । ଚିଠି ମୁତାବକ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ରାସନ ସାମଗୀ ବଣ୍ଟନ ବେଳେ ଡିଲର ଦୋକାନ ଆଗରେ ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ ଫୋଟ ରହିବ । କେବଳ ସେତିକି ନୁହେଁ ଯେଉଁ ପ୍ୟାକେଟରେ ହିତାଧିକାରୀଙ୍କୁ ୫ କିଲୋ ଖାଦ୍ୟ ସାମଗ୍ରୀ ମିଳୁଛି ସେହି ଥଳିରେ ବି ବିଜେପିର ନିର୍ବାଚନୀ ଚିହ୍ନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅରୁଣ ସିଂ । ଏନେଇ ସବୁରାଜ୍ୟକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି କି କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର’ ପ୍ରଚାର ଜୋରଦାର କରାଯାଉ ।

କହିରଖୁ କି ଏବେ ଦେଶରେ ଚାଲୁଥିବା କୋଭିଡ ନିରୋଧି ଭ୍ୟାକ୍ସିନ ଅଭିଯାନରେ ଟିକା ନେଉଥିବା ଲୋକଙ୍କୁ ଯେଉଁ ପ୍ରମାଣପତ୍ର ମିଳୁଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫୋଟ ରହିଛି । ଏହାକୁ ବିରୋଧୀଦଳ ମାନେ ବିରୋଧ କରିଛନ୍ତି । ଏହାସହ ପଶ୍ଚିମବଙ୍ଗ ଓ ଛତିଶଗଡ ସରକାର ଟିକା ପ୍ରମାଣପତ୍ରରୁ ମୋଦିଙ୍କ ଫୋଟ ହଟାଇ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଲଗାଇଥିଲେ ।

ବିଜେପି ମହାସଚିବ ଅରୁଣ ସିଂ ଲେଖିଥିବା ଚିଠିରେ କୁହାଯାଇଛି କି, ସମସ୍ତ ବିଜେପି ଶାସିତ ରାଜ୍ୟରେ ସବୁ ରାସନ ବିତରଣ କେନ୍ଦ୍ରରେ ମୋଦିଙ୍କ ସହ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥିବା ଏକ ବ୍ୟାନର ଲଗାଯାଉ । କେବଳ ଏତିକି ନୁହେଁ ବ୍ୟାନରର ଡିଜାଇନ ବି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ଏହାସହ ଅଣବିଜେପି ରାଜ୍ୟମାନଙ୍କୁ ବି ଚିଠି ଲେଖି ଏଭଳି କରିବା ପାଇଁ କୁହାଯାଇଛି । ହେଲେ ବିଜେପି ଶାସିତ ରାଜ୍ୟଭଳି ଅଣ ବିଜେପି ଶାସିତ ରାଜ୍ୟରେ ରାସନ ବିତରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଛବି ଥିବା ଫୋଟ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ଫୋଟ ସହ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କ ଫୋଟ ଥିବା ବ୍ୟାନର ଟାଙ୍ଗିିବାକୁ କୁହାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରଚାର ପାଇଁ ଦଳୀୟ ନେତା ମାନଙ୍କୁ ସୋସିଆଲ ମିଡିଆର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ନଭେମ୍ବର ମାସ ପର୍ଯ୍ୟନ୍ତ ମାସିକ ୫ କେଜି ଚାଉଳ କିମ୍ବା ଗହମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।