କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ତେଜିଛି ରାଜନୀତି । ମାହାଙ୍ଗାରେ ଆଜି ହଙ୍ଗାମା ହୋଇଛି ଜେଏମ୍ଏଫସି କୋର୍ଟଙ୍କ ରାୟ ପ୍ରକାଶ ପରେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ପ୍ରତାପ ଜେନାଙ୍କ ସମର୍ଥକ ଓ ବିରୋଧୀ । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୃତକ କୁଳମଣି ବରାଳଙ୍କ ପରିବାର ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରିବାକୁ ଆସୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ପୋଲିସ ଆହତଙ୍କୁ ଉଦ୍ଧାର କରି ବିଧାୟକଙ୍କ ସମର୍ଥକଙ୍କୁ ବୁଝାସୁଝା କରିଛି । ଆଉ ସଂଗୀନ ଅପରାଧିକ ମାମଲା ସତ୍ୱେ ପ୍ରତାପ ଜେନାଙ୍କୁ କାହିଁକି ଘଂଟ ଘୋଡାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବିକ୍ଷେଭ ପ୍ରଦର୍ଶନ କରୁଥିଲେ କିଛି ବ୍ୟକ୍ତି । ନ୍ୟାୟ ପାଇଁ ସଂଘର୍ଷ ନାମକ ସଂଗଠନର ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେମାନଙ୍କ ସହ ପ୍ରତାପ ଜେନାଙ୍କ ସମର୍ଥକଙ୍କ ଗଣ୍ଡଗୋଳ ହୋଇଛି । କୁହାଯାଉଛି ମୃତ କୁଳମଣି ବରାଳଙ୍କ ପରିବାର ଓ ତାଙ୍କ ସମର୍ଥକମାନେ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ ପାଇଁ ପ୍ରସ୍ତୁତ ହେଉଥିଲେ । ହେଲେ ସେମାନଙ୍କୁ ପ୍ରତାପ ଜେନାଙ୍କ ସମର୍ଥକ ଗୋଡାଇ ପିଟିଥିବା ଅଭିଯୋଗ କରିଛନ୍ତିି । ଆକ୍ରମଣରେ ନୃତାଙ୍ଗର ରାମ ଚନ୍ଦ୍ର ବେହେରା ଓ ବାଜପୁରାର ଦିଲ୍ଲୀପ ସାହୁ ଆହତ ହୋଇଛନ୍ତି । ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଉଭୟ ପକ୍ଷ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।
ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଅପରାଧିକ ମାମଲା ଚାଲୁ ରଖିବାକୁ ଗତକାଲି ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର, ଓ ଧମକ୍ ଦେବା ଦଫାରେ ମାମଲା ଜାରି ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେଡି ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଜଣେ ପରେ ଜଣେ ବିଧାୟକଙ୍କୁ ଜନବିରୋଧୀ କହି ମୁଖ୍ୟମନ୍ତ୍ରୀ ଦଳ ବାହାର ରାସ୍ତା ଦେଖାଉଥିବାବେଳେ, ସଂଗୀନ ଅପରାଧିକ ମାମଲା ସତ୍ୱେ ପ୍ରତାପ ଜେନାଙ୍କୁ କାହିଁକି ଘଂଟ ଘୋଡାଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
୨୦୨୧ ଜାନୁଆରୀ ୨ ତାରିଖ ସଂଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଦର୍ଶା ଯାଇଥିବାବେଳେ ପୋଲିସ ଚାର୍ଜସିଟ ଦାଖଲ ବେଳେ ତାଙ୍କ ନାଁକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଗତକାଲି ସାଲେପୁର ଜେଏମଏଫସି କୋର୍ଟ କହିଛନ୍ତି ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବାୟନ ଏବଂ ବିଭିନ୍ନ ରେକର୍ଡପତ୍ର ଦେଖିଲେ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣ ଯୋଗ୍ୟ ତଥ୍ୟ ରହିଛି । ସେ ଜଣେ ବିଧାୟକ ହୋଇଥିବାରୁ ମାମଲାଟିକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସମସ୍ତ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ନାର୍କୋଟେଷ୍ଟ ପାଇଁ ସେ ପ୍ରସ୍ତୁତ ଥିବା ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା ।