ଚୀନ୍ ପରେ ଭାରତ ସୀମାରେ ପଶିଲା ନେପାଳ : କଳାପାଣି ନିକଟରେ ସେନା ପାଇଁ ବ୍ୟାରାକ ନିର୍ମାଣ କରିବାକୁ ନେପାଳ ଗୃହମନ୍ତ୍ରୀ କଲେ ଶିଳାନ୍ୟାସ ; କହିଲେ ୬୦ ବର୍ଷ ଧରି ଭାରତ ଦଖଲ କରିଛି ନେପାଳର ଏହି ସ୍ଥାନ 

8,941
କନକ ବ୍ୟୁରୋ : ଚୀନର ବିସ୍ତାରବାଦ ନୀତିକୁ ନେଇ ଭାରତ ଓ ଚୀନ ମଧ୍ୟରେ ସଂପର୍କରେ ତିକ୍ତତା ଆସିବା ପରେ ଏବେ ଭାରତର ପଡୋଶୀ ରାଷ୍ଟ୍ର ନେପାଳ ବି ଭାରତର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ନେପାଳର, କୃଷ୍ଣ ନେପାଳର ଭଳି ଅରୁଚିକର ବା ବ୍ରିଭାନ୍ତିକର ମନ୍ତବ୍ୟ ଦେଉଥିବା ନେପାଳ ଏବେ ଭାରତ ସୀମାରେ ସେନା ଠୁଳ କରିବା ନେଇ ଭାରତ ଉଦବେଗ ପ୍ରକାଶ କରିଛି । ନେପାଳ ଉତ୍ତରାଖଣ୍ଡର କଳାପାଣି ନିକଟରେ ସୈନ୍ୟ ଠୁଳ କରିବା ପାଇଁ ପ୍ରସ୍ତୁତ ଚଳାଇଛି । ଏନେଇ ସେଠାରେ ସେନା ରହିବାକୁ କ୍ୱାଟର ଓ ବ୍ୟାରେକ୍ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ଉତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମିଆଧୁରା ଅଞ୍ଚଳ ନେପାଳର ବୋଲି ନେପାଳ ସରକାର ଦାବି କରୁଛନ୍ତି । ହେଲେ ପୂର୍ବରୁ ଏହି ଅଞ୍ଚଳ ନେପାଳର ବୋଲି ସେମାନେ କେବେ ଦାବି କରିନଥିବା ବେଳେ ଏବେ ଦାବି କରିବା ଓ ସେଠାରେ ସେନା ଠୁଳ କରିବା ଭାରତ ସରକାରଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଦେଖାଯାଇଛି ଯେ ସେନା ପାଇଁ ନିର୍ମାଣ ହେଉଥିବା ଏହି ବ୍ୟାରେକ ଗୁଡିକ କଳାପାଣିରୁ ୧୩ କିଲୋମିଟର ଦୂର ଚାଙ୍ଗୁର ନିକଟରେ ନିର୍ମାଣ କରାଯାଉଛି । କିଛିଦିନ ପୂର୍ବରୁ ନେପାଳ ସରକାର ଏହି ସବୁଅଞ୍ଚଳ ନିଜ ଦେଶର ବୋଲି ଦାବି କରି ଏକ ନୂତନ ମାନଚିତ୍ର ଉନ୍ମୋଚନ କରିଥିଲା । ନେପାଳ ଦାବି କରୁଥିବା ଏହି ଅଞ୍ଚଳଗୁଡିକ ଉତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଅବସ୍ଥିତ । ନେପାଳର ଗୃହମନ୍ତ୍ରୀ ରାମ ବାହାଦୂୁର ଥାପା ଶୁକ୍ରବାର ଦିନ ଚାଙ୍ଗୁର ନିକଟରେ ଏହି ବ୍ୟାରାକ ଓ କ୍ୱାର୍ଟର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ମିଳିଥିବା ସୂଚନା ମୁତାବକ ଏଠାରେ ନେପାଳର ସଶସ୍ତ୍ର ପୋଲିସ ବାହିନୀର ଯବାନ ମାନେ ଯୋଗ ଦେବେ । ଯେଉଁମାନେ କି ଆଇନ ପ୍ରବର୍ତନ ଓ ସେନାର ଭୂମିକା ଗ୍ରହଣ କରିବେ । ଚାଙ୍ଗୁର ନିକଟରେ ଥିବା ସିତାପୁଲର ଗ୍ରାମବାସୀଙ୍କ ସହ ବାର୍ତ୍ତାଳପ ବେଳେ ଶ୍ରୀ ଥାପ୍ପା କହିଥିଲେ କି ନେପାଳର ଯୁବକ ମାନଙ୍କ ପାଇଁ ସଶସ୍ତ୍ର ପୋଲିସ ବାହିନୀରେ ଯୋଗ ଦେବାର ଏକ ବଡ ସୁଯୋଗ ଆସିଛି । କାରଣ ନେପାଳ ସରକାର ସଶସ୍ତ୍ର ପୋଲିସ ବାହିନୀର ବିସ୍ତାର କରିବାକୁ ଯୋଜନା କରୁଛି ।
ଏହାକୁ ଖଣ୍ଡନ କରି ନେପାଳ ସଶସ୍ତ୍ର ପୋଲିସବାହିନୀର ପ୍ରବକ୍ତା ରାଜୁ ଆରିଲ କହିଛନ୍ତି କି ଭାରତ-ନେପାଳ ସୀମା ଉପରେ ନଜର ରଖିବାକୁ ନେପାଳ ସରକାରଙ୍କ ତରଫରୁ ଚାଙ୍ଗୁରରେ ଏକ ବ୍ୟାରେକ ନିର୍ମାଣ କରାଯାଉଛି । ଅନ୍ୟପଟେ ଉତରାଖଣ୍ଡ ସରକାରଙ୍କ ସୂତ୍ର ମୁତାବକ ସୀମା ନିକଟରେ ସାଧାରଣ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ନେପାଳ କେବେ ବି ସୁରକ୍ଷା ବାହିନୀକୁ ନିୟୋଜିତ କରିନଥିଲା । ଉଭୟ ଦେଶର ନାଗରିକ ମାନେ ସୀମା ଅତିକ୍ରମ କରି ଯାତ୍ରା କରିପାରୁଥିଲେ । ହେଲେ ବର୍ତମାନ ନେପାଳର ସଶସ୍ତ୍ର ପୋଲିସ ବାହିନୀ ଆମ ଦେଶର ନାଗରିକଙ୍କୁ ସୀମାପାରି ହେବାକୁ ଅନୁମତି ଦେଉ ନାହାନ୍ତି । ନିକଟରେ ନେପାଳ ସରକାର ବି ତାଙ୍କ ସ୍କୁଲ ପାଠ୍ୟକ୍ରମରେ ନେପାଳର ଏକ ନୂତନ ମାନଚିତ୍ର ଅନ୍ତର୍ଭୁକ୍ତ କରିଥିଲେ । ଏନେଇ ବିବାଦ ଦେଖାଦେବା ପରେ ସରକାର ନିଜରନିଷ୍ପତ୍ତିକୁ ଫେରାଇ ନେଇଥିଲେ ।
କହିରଖୁ କି ୧୯୬୨ ମସିହାରେ ଚୀନ ସା ଭାରତର ଯୁଦ୍ଧ ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନେପାଳର ରାଜା ମହେନ୍ଦ୍ରଙ୍କୁ ଡାକି ଅନୁରୋଧ କରିଥିଲେ କି ଭାରତୀୟ ସେନା ନେପାଳରେ ଆଉ କିଛି ଦିନ ରହିବାକୁ । ହେଲେ ନେପାଳ ସରକାର ଅଭିଯୋଗ କରିଛନ୍ତି କି ୬୦ ବର୍ଷ ପରେ ଭାରତ ସରକାର ତାଙ୍କ ସେନାକୁ ସେଠାରୁ ନହଟାଇ ସେହି ସ୍ଥାନକୁ ଭାରତ ମାନଚିତ୍ରରେ ସାମିଲ କରିବା କ’ଣ ବିସ୍ତାରବାଦୀ ନିତୀ ନୁହେଁ କି ?