ଜନ୍ମ କରିଥିଲି କଣ ଏଇଥି ପାଇଁ…? ପୁଅ ପର କରିଦେବା ପରେ ବିଷ ପିଇଦେଲା ମାଆ । ମୃତ୍ୟୁ ମୁହଁରୁ ବଞ୍ଚି ମେଡିକାଲରୁ ମାଆ ପଚାରୁଛି; ବଳ ନଥିବା ହାତରେ କାମ କରୁଛି, ମାଡ ଖାଇବି କଣ ପାଇଁ ? ପୁଅ ଜନ୍ମ କରି ପାଇଲି କଣ…? ଶୁଣନ୍ତୁ ୮୦ ବର୍ଷୀୟା ମାଆର ଅସହାୟ କାହାଣୀ…

ଯଦି ପୁଅ ବୋହୂମାନେ ବୃଦ୍ଧା ମାଆର ସେବା କରି ଥାନ୍ତେ ତେବେ ସେ କଣ ଆଜି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାନ୍ତା ? ବୟସ ହେଲା ପରେ ମାଆକୁ ଯେଉଁ ପୁଅମାନେ ପର କରି ଦେଇଛନ୍ତି ସେମାନେ ବି ଦିନେ ବୃଦ୍ଧ ହେବେ ? ଆଉ ସେତେବେଳେ ମାଆକୁ ଦେଇଥିବା ସେ ଯନ୍ତ୍ରଣା କଥା ମନେ ପଡିବ ତ ?

2,031

କନକ ବ୍ୟୁରୋ: ମୁଁ ତମକୁ ଜନ୍ମ ଦେଲି, ତମେ ମତେ ଯନ୍ତ୍ରଣା ଦେଲ… ମୁଁ ତମକୁ ମମତା ଦେଲି, ତମେ ମୁହଁମୋଡି ଦେଲ । ମୁଁ ଚିରା ପଣତରେ ଝାଳ ପୋଛି ତମକୁ ପାଳିଲି ପୋଷିଲି, ହେଲେ ତମେ ମତେ ନଚାହିଁ ପରକରିଦେଲ । ନିଜ ଛାତିରୁ କ୍ଷୀର ଖୁଆଇ ତମକୁ ଏଡୁଟେରୁ ଏଡଟେ କଲି, ନିଜେ ନଖାଇ ତୁମକୁ ଖୁଆଇଲି… ହେଲେ ତମେ ମତେ ଛି କରିଦେଲ… ପୁଅ ଜନ୍ମ କରି ପାଇଲି କଣ ? ଧିକ୍ ଏ ପୁଅଙ୍କୁ, ଧିକ୍ ମୋ ମା’ପଣିଆକୁ… ଏ ଜୀବନ ରହି ଆଉ ଲାଭ କଣ ?

ଜନ୍ମକଲା ମାଆକୁ ପୁଅମାନେ ପରକରିଦେବା ପରେ ବୋଧହୁଏ ଏମିତି କିଛି କଥା ଭାବି ବିଷ ପିଇ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥାଇପାରେ ଏ ଅସହାୟ ମାଆ ଜଣକ । ବୟସ ହେଲା ପରେ ପୁଅବୋହୂ ଯେତେବେଳେ ଅଣଦେଖା କଲେ, ସେତେବେଳେ ସେମାନଙ୍କ ପାଖରେ ଆତ୍ମସମର୍ପଣ ନକରି ଆତ୍ମହତ୍ୟାର ବାଟ ବାଛିନେଇଥିଲେ ଏ ବୁଢିମାଆ । ଆଉ ଇଏ ହେଉଛି ଆତ୍ମହତ୍ୟା ଉଦ୍ୟମର ଆଖିଭିଜା ଚିତ୍ର ।

ବରଡା ପତ୍ର ପରି ହାତ ଥରୁଛି, ଆଖି ଭିତରକୁ ପଶିଯାଇଛି । ଆଉ ନିସ୍ତେଜିଆ ଶରୀରକୁ ମେଡିକାଲ ଶଯ୍ୟାରେ ଶୁଆଇ ଆଖିରୁ ଲୁହ ନିଗାଡୁଛି ଏ ପରିତ୍ୟକ୍ତା ମାଆ । ସ୍ୱାମୀ ମଲା ପରେ ସୋର ସାଣ୍ଟାପଡା ଗାଁର ୮୦ ବର୍ଷୀୟା ଏ ବୃଦ୍ଧାଙ୍କୁ ପୁଅମାନେ ପଚାରୁ ନାହାନ୍ତି । ୩ଟି ପୁଅ ଏବଂ ୪ଟି ଝିଅ ଥାଇ ବି ଏ ବୁଢିମାଆ କଥା କେହି ବୁଝୁନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଅଶାନ୍ତିର ଅନ୍ଧାରରେ ରହିରହି, ଭୋକ ଉପାସର ଜଟିଳ ଗଣିତ ସମାଧାନ ନହେବାରୁ ଜୀବନକୁ ସମାଧି ଦେବାକୁ ସେ ଆତ୍ମହତ୍ୟା କରିବାକୁ ବିଷ ପିଇଛନ୍ତି ।

ତେବେ ବୃଦ୍ଧା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହେବା ପରେ ତାଙ୍କୁ ସୋର ମେଡିକାଲ ନିଆଯାଇଥିଲା ଆଉ ସେଠାରେ ତାଙ୍କର ଚିକିତ୍ସା କରାଯିବା ସହ ପାଖରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଏ ଅସହାୟ ବୃଦ୍ଧାଙ୍କ ସେବା କରୁଛନ୍ତି । ଯଦି ପୁଅ ବୋହୂମାନେ ବୃଦ୍ଧା ମାଆର ସେବା କରି ଥାନ୍ତେ ତେବେ ସେ କଣ ଆଜି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାନ୍ତା ? ବୟସ ହେଲା ପରେ ମାଆକୁ ଯେଉଁ ପୁଅମାନେ ପର କରି ଦେଇଛନ୍ତି ସେମାନେ ବି ଦିନେ ବୃଦ୍ଧ ହେବେ ? ଆଉ ସେତେବେଳେ ମାଆକୁ ଦେଇଥିବା ସେ ଯନ୍ତ୍ରଣା କଥା ମନେ ପଡିବ ତ ?