କନକ ବ୍ୟୁରୋ: ସିମେଣ୍ଟଠାରୁ ସର୍ଫ, ପନିରଠୁ ମସଲା । ଏଭଳି ଅନେକ ନକଲି, ଅପମିଶ୍ରିତ ଖବର କଟକରୁ ଆସିବା ପରେ ଏବେ ନକଲି ଡାଲିର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । କଟକ ମାଲଗୋଦାମ ଉପରେ କମିସନରେଟ୍ ପୋଲିସ ଏବଂ କଟକ ମହାନଗର ନିଗମ ପକ୍ଷରୁ ମିଳିତଭାବେ ଚଢାଉ କରାଯାଇଛି । ମାଲଗୋଦାମରେ ଥିବା ୨ଟି ଡାଲି ଗୋଦାମରେ ଏହି ଚଢାଉ କରାଯାଇ ୪୦କୁଇଣ୍ଟାଲ ଅପମିଶ୍ରିତ ଡାଲି ଜବତ କରାଯାଇଛି ।

Advertisment

ତେବେ ଏସବୁ ଗୋଦାମରେ ୧୯୬୧ ମସିହାରୁ ସରକାର ବ୍ୟାନ୍ କରିଥିବା ଖେସରୀ ଡାଲିକୁ ହରଡ ଡାଲିରେ ମିଶାଇ ବିକ୍ରୀ କରାଯାଉଥିବାର ଅଭିଯୋଗ ଆସିଥିଲା । ସେହି ଅଭିଯୋଗ ଆଧାରରେ ଏସିପି ଅମରେନ୍ଦ୍ର ପଣ୍ଡା, ମାଲଗୋଦାମ ଥାନା ଅଧିକାରୀ ,ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର ପ୍ରମୁଖ ଙ୍କ ନେତୃତ୍ୱ ରେ ଏହି ଚଢାଉ କରାଯାଇଛି । ଏହି ଚଢାଉ ପରେ ମାଲଗୋଦାମ ର ବେପାରୀଙ୍କ ମଧ୍ୟରେ ଛନକା ପଶିଥିଲା । ଏହି ୨ ଗୋଦାମ ରୁ ଜବତ ହୋଇଥିବା ଡାଲିକୁ ସି ଏମସି ଟିମ ପକ୍ଷରୁ ଭୁବନେଶ୍ୱର ଠାରେ ଥିବା ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି ।

ସବୁଠାରୁ ବଡ଼କଥା ହେଲା, ବ୍ୟାନ୍ ହୋଇଥିବା ଖେସରୀ ଡାଲିକୁ ସେମାନେ କେଉଁଠାରୁ ଆଣିଥିଲେ ସେନେଇ ଅଧିକ ଖୋଳତାଡ଼ ଚଳାଇଛି କମିସନରେଟ୍ ପୋଲିସ ଏବଂ ସିଏମସି ଟିମ । ତେବେ ଏହି ଚଢାଉରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଲ୍ୟାବରୁ ରିପୋର୍ଟ ଆସିବା ପରେ ମାଲଗୋଦାମର ଏସବୁ ବେପାରୀଙ୍କ ଉପରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ।