ପଦ୍ମପୁରରେ ପ୍ରଚାର ଶେଷ ପରେ ଭୋଟ୍ ପାଇଁ ପ୍ରସ୍ତୁତି, ନିରପେକ୍ଷ ଓ ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନର ଅପିଲ୍ ।

58

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର । ନିର୍ବାଚନ ମଣ୍ଡଳୀ ଛାଡିଛନ୍ତି ବାହାର ନେତା । ଚାଲିଛି କଡାକଡା ଚେକିଂ । ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ପଡିବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ସରିବ । ନିରପେକ୍ଷ ଓ ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନ ଅପିଲ୍ କରିଛି । ଶନିବାର ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ରହିଛି । ନେତା ଓ କର୍ମୀ ଓ ନେତାଙ୍କୁ ତୁରନ୍ତ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ଜିଲ୍ଲାପାଳ ଅପିଲ କରିଥିଲେ ।

ଏପେଟ ସମସ୍ତ ହୋଟେଲ, ଗେଷ୍ଟ ହାଉସ ଓ କଲ୍ୟାଣ ମଣ୍ଡପରେ ଯାଞ୍ଚ ଆରମ୍ଭ ହୋଇଛି । ବାହାରୁ ଆସୁଥିବା ଗାଡ଼ି ଓ ଲୋକଙ୍କ ଯାଞ୍ଚ ଚାଲିବ ବୋଲି କୁହାଯାଇଛି । ନିର୍ବାଚନମଣ୍ଡଳୀରେ ମୋଟ ୩୧୯ଟି ବୁଥ୍ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିବେ । ମୋଟାମୋଟି ୫୧ଟି ସ୍ଥାନର ୭୯ଟି ବୁଥ୍ ସମ୍ବେଦନଶୀଳ ରହିଛି । ୪୬ଟି ବୁଥ ମାଓ ପ୍ରବଣ ଅଂଚଳରେ ଥିବାରୁ ପୋଲିଂ ପାର୍ଟିର ରାତ୍ର ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମତଦାନ ଦିନ ହିଁ ସେମାନେ ବୁଥରେ ଉପସ୍ଥିତ ରହିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଳକ୍ର ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଉପନିର୍ବାଚନରେ ମୋଟ୍ ୬୬୭ଟି ଗାଡ଼ି ବ୍ୟବହାର ହେବ । ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପ୍ରଶାସନ ସୂଚନା ଦେଇଛି ।